ବରଗଡ଼ : ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ ଆଚରଣ ଏବଂ ଉଚ୍ଚାରଣକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସିଡିଏମ୍ଓ ଡା. ଚାରୁବାଳା ରଥ। ଡା. ରଥ ଏନେଇ ସିଧା ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ଅଭିଯୋଗପତ୍ର ପଠାଇଛନ୍ତି। ଏଥିରେ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ସ୍ବାସ୍ଥ୍ୟ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇଛନ୍ତି। ଅଭିଯୋଗ ହେଲା, ଡା. ରଥ ଗତ ୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିଲେ। ଦିନ ୧୨ଟା ବେଳେ ଜିଲ୍ଲାପାଳଙ୍କ ପିଏ ଫୋନ୍ କଲେ। ଜିଲ୍ଲାପାଳ କଥା ହେବାକୁ ଚାହୁଛନ୍ତି ବୋଲି କହିଲେ। ଡ. ରଥ ଜିଲ୍ଲାପାଳଙ୍କ ସହ କଥା ହେଲେ। ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ତାଙ୍କୁ ଟେକ୍ନୋମେନେଜରିଆଲ୍ ଟେଣ୍ଡର୍ ସଂପର୍କରେ ପଚାରିଥିଲେ। ହେଲେ ଡା. ରଥ ନୂଆ କରି ଜିଲ୍ଲାରେ ଯୋଗଦାନ କରିଥିବାରୁ ଟେଣ୍ଡର ସଂପର୍କରେ ବିସ୍ତୃତ ଜାଣି ନଥିଲେ। ସେ ଡିପିଏମ୍ଙ୍କୁ ପଚାରି ସବିଶେଷ ତଥ୍ୟ ଦେବି ବୋଲି ଜିଲ୍ଲାପାଳଙ୍କୁ କହିଥିଲେ।
ତେବେ, ଏତିକି କଥାରେ ଜିଲ୍ଲାପାଳ ଚିଇଁକି ଉଠିଥିଲେ। ଡା. ରଥଙ୍କୁ ଚଢ଼ା ଗଳାରେ ଗାଳି ଦେଇଥିଲେ। ‘ଆପଣ ଯଦି ଜାଣି ନାହାନ୍ତି, ସେଇ ଚେୟାର୍ରେ କାହିଁକି ବସିଛନ୍ତି’ ବୋଲି ତାଚ୍ଛଲ୍ୟ କରିଥିଲେ ବୋଲି ସିଡିଏମ୍ଓ ରଥ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ତିନି ଥର ହେଲା ଅଶୋଭନୀୟ ଆଚରଣ ଏବଂ ଉଚ୍ଚାରଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ଜଣେ ସିଡିଏମ୍ଓଙ୍କ ଉପରେ ବିନା କାରଣରେ ରାଗି କୋଠରିକୁ ବାହାର ପଟୁ ଜିଲ୍ଲାପାଳ ତାଲା ମାରିଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀଙ୍କୁ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲା। ସେ କହିଲେ, ଜିଲ୍ଲାର ସବୁ ଅଧିକାରୀଙ୍କୁ ନେଇ ମୋ’ ପରିବାର। ଗୋଟିଏ ପରିବାର ଭିତରେ କେବେକେବେ ମତାନ୍ତର ଲାଗି ରହିଥାଏ। ତାକୁ ଆପୋସ ବୁଝାମଣାରେ ସମାଧାନ କରାଯାଏ। ବ୍ୟକ୍ତିଗତ ଭାବେ ଏହାର ସମାଧାନ କରିବି ବୋଲି ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ କହିଛନ୍ତି।
ମନେ ପଡ଼ିଲା ‘ଫାଲ୍ତୁ କଥା’
‘ଫାଲ୍ତୁ କଥା କରିବନି ମୋ’ସାଂଗେ। ମଣ୍ଡିରେ ଧାନ ଥାଇ କାହାର ଟୋକନ୍ ଲାପ୍ସ ହୋଇଥିଲେ ତଥ୍ୟ ଦିଅ। ମୁଁ ଚାକିରିରୁ ରିଜାଇନ୍ କରିଦେବି।’ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଏହି ଟିପ୍ପଣୀ ସେତେବେଳେ ଚାଷୀଙ୍କୁ ତତାଇ ଦେଇଥିଲା। ବିଭିନ୍ନ ସ୍ଥାନରେ ଏହାକୁ ସମାଲୋଚନା ବି କରାଗଲା। ଖରିଫ୍ ଧାନ କିଣାବିକା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତାଙ୍କରି ଅଧ୍ୟକ୍ଷତାରେ ଚାଷୀଙ୍କୁ ନେଇ ବୈଠକ ଚାଲିଥିଲା। ଚାଷୀମାନେ ଟୋକନ୍ ଲାପ୍ସ କଥା ଉଠାଇବା କ୍ଷଣି ଜିଲ୍ଲାପାଳ ଗର୍ଜି ଉଠିଥିଲେ। ଯାହା ପରେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।
ଚର୍ଚ୍ଚାରେ କଳାରଂଗର ଶାଢ଼ି
ଗତ ୧୮ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍ରେ ସଭାରେ ଯୋଗ ଦେଇଥିଲେ। ପଦ୍ମପୁରଠାରେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ସ୍ବାଗତ କରିଥିଲେ। ହେଲେ ସେ ପିନ୍ଧିଥିଲେ କଳା ରଂଗର ଶାଢ଼ି। ଯାହାକୁ ନେଇ ଏବେ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ସଭାରେ ଲୋକଙ୍କୁ କଡ଼ା ଯାଂଚ ପରେ ସଭାସ୍ଥଳୀକୁ ଛଡ଼ା ଯାଉଥିଲା। ପୁରୁଷ ହେଉ କି ମହିଳା, କଳା କନା ପରିଧାନ କଲେ ତାଙ୍କୁ ବାରଣ କରାଯାଉଥିଲା। କଳା ରଂଗର ସ୍କାର୍ପ, ଗାମୁଛାକୁ ଜବତ କରାଯାଇଥିଲା। କିନ୍ତୁ ମଂଚ ପାଖରେ ଜିଲ୍ଲାପାଳ କଳା ରଂଗର ଶାଢ଼ି ପିନ୍ଧି ବୁଲିବା ଅନେକଙ୍କୁ ଅଖାଡ଼ୁଆ ଲାଗିଥିଲା।