ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବ, ଗୋଟିଏ ଦିନରେ ଏକାଧିକ ପ୍ରବେଶିକା ପରୀକ୍ଷା

ପରୀକ୍ଷାକୁ ‌‌ନେଇ ଚିନ୍ତାରେ ଛାତ୍ରଛାତ୍ରୀ, ରାଜ୍ୟପାଳଙ୍କୁ ଭେଟିଲା ଏବିଭିପି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ଚିନ୍ତା କରାଯାଉଛି। ଏନେଇ ୫ଥର ଆଲୋଚନା ବି ସରିଛି। ତଥାପି ନିଷ୍ପତ୍ତି ଆସନ୍ତା ବର୍ଷକୁ ଝୁଲି ରହିଛି। ତେବେ ଏହା ପୂର୍ବରୁ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହୋଇଛି। ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଅଧିକାଂଶ ବିଶ୍ବବିଦ୍ୟାଳୟରେ ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସମୟ ଓ ଦିନ ଧାର୍ଯ୍ୟ ସରିଛି। ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବା ପରେ ବିବାଦ ଦେଖାଦେଇଛି। ଗୋଟିଏ ଦିନରେ ଏକାଧିକ ବିଶ୍ବବିଦ୍ୟାଳୟରେ ସମାନ ବିଷୟ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଯାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ଦିନରେ ଏକାଧିକ ପରୀକ୍ଷା କିଭଳି ଦେବେ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୫ ରେ ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗ ଲାଗି ପ୍ରବେଶିକା ପରୀକ୍ଷା ରହିଛି। ସେହିପରି ଜୁଲାଇ ୬‌ରେ ଉତ୍ତର ଓଡ଼ିଶା ଓ ରେଭେନ୍ସାର ଇଂରାଜୀ ବିଭାଗ, ବ୍ରହ୍ମପୁର, ରେଭେନ୍ସା ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ, ବ୍ରହ୍ମପୁର ଓ ରେଭେନ୍ସାର ପଦାର୍ଥ ବିଜ୍ଞାନ ବିଭାଗ, ଉତ୍କଳ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୭ରେ ରେଭେନ୍ସା ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ‌କରାଯିବ। ଜୁଲାଇ ୮ରେ ଭୂତତ୍ତ୍ବ ବିଜ୍ଞାନ ପାଠ୍ୟକ୍ରମରେ ନାମଲେଖା ଲାଗି ଉତ୍କଳ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ(କ୍ୟାମ୍ପସ-୨)ରେ ପ୍ରବେଶିକା ପରୀକ୍ଷା ଲାଗି ଦିନ ଧାର୍ଯ୍ୟ ହୋଇଛି।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଆଜି ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରି ସ୍ମା‌ରକପତ୍ର ପ୍ରଦାନ କରିଛି। ଏବିଭିପି ପକ୍ଷରୁ କୁହାଯାଇଛି ଯେ ଜୁଲାଇ ପ୍ରଥମ ସପ୍ତାହରୁ ଉତ୍କଳ, ରେଭେନ୍ସା, ଉତ୍ତର ଓଡ଼ିଶା ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ବିଶ୍ବବିଦ୍ୟାଳୟ ମଧ୍ୟରେ ସମନ୍ବୟ ଅଭାବରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ତେଣୁ ଓଡ଼ିଆ, ଇଂରାଜୀ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଭୂତତ୍ତ୍ବ ବିଜ୍ଞାନ ଓ କମ୍ପ୍ୟୁଟର ସାଇନ୍ସ ଆଦି ବିଷୟଗୁଡ଼ିକର ପରୀକ୍ଷା ଗୋଟିଏ ଦିନରେ ରହିଛି। ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ପରୀକ୍ଷାଗୁଡ଼ିକ ବିଭିନ୍ନ ଦିନରେ କରାଇବାକୁ ପରିଷଦ ଦାବି କରିଛି। ଏଥିସହ ଆସନ୍ତା ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟଗୁଡ଼ିକ ଲାଗି ଏକକ ପ୍ରବେଶିକା ପରୀକ୍ଷା କରାଇବାକୁ ଏବିଭିପି ଦାବି କରିଛି। ଏହି ପ୍ରତିନିଧିମଣ୍ଡଳୀରେ ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ସହ ସମ୍ପାଦକ ସଙ୍ଗୀତା‌ ପଣ୍ଡା, ରତନ ଦିଗଲ୍‌, ଶୁଭସ୍ମିତା ସିଂ, ସଞ୍ଜୟ କୁମାର ମଲ୍ଲିକ, ପ୍ରଶାନ୍ତ ପାଇକରାୟ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର