ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ ଆଇନରେ ଅଣାଯାଇଥିବା ସଂଶୋଧନକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାସ୍ତାକୁ ଓହ୍ଲାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ସଂଶୋଧନ କରି ଯେଉଁଭଳି ନୂତନ ନିୟମ ଅଣାଯାଇଛି, ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଛନ୍ତି। ଏହା ସଂପୂର୍ଣ୍ଣ ନିନ୍ଦନୀୟ। ସରକାରଙ୍କ ଏପରି ମନୋଭାବ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରିଦେବ। ରାଜ୍ୟ ସରକାର ନିଜର ପ୍ରଚାର କରିବା ଉଦ୍ଦେଶ୍ୟରେ ଏପରି ନିୟମ କରିଛନ୍ତି। ବିଶ୍ୱବିଦ୍ୟାଳୟକୁ ରାଜନୀତିକରଣ ଓ ଅମଲାକରଣଙ୍କ ପେଣ୍ଠସ୍ଥଳୀରେ ପରିଣତ କରିବା ଉଦ୍ଦେଶ୍ୟକୁ କେବେ ବି ସଫଳ କରାଯିବ ନାହିଁ ବୋଲି ଏବିଭିପି କର୍ମକର୍ତ୍ତାମାନେ କହିଛନ୍ତି।
ସିନେଟ୍ ବ୍ୟବସ୍ଥା ବନ୍ଦ କରି ଛାତ୍ରଙ୍କ ଅଧିକାର ଓ କର୍ତ୍ତବ୍ୟକୁ ସେମାନଙ୍କଠାରୁ ଅଲଗା କରାଯାଉଛି। ତରବରିଆ ଭାବେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ପୁନଃବିଚାର କରିବାର ଆବଶ୍ୟକତା ରହିଛି। ଜାତୀୟସ୍ତରରେ ଓଡ଼ିଶାର ଗୋଟିଏ ବି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ନଥିବା ବେଳେ ଏହି ପଦକ୍ଷେପ ବିଶ୍ୱବିଦ୍ୟାଳୟ ମାନକୁ ଆହୁରି ତଳକୁ ନେବ ବୋଲି ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ପ୍ରସାଦ ରାଉତ କହିଛନ୍ତି।
ବିକ୍ଷୋଭରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୁଧାଂଶୁ ସାହୁ, ଶୁଭସ୍ମିତା ଦାସ, ଆଗ୍ରି ଭିଜନ୍ର ସହ ସଂଯୋଜକ ସୂର୍ଯ୍ୟ ପ୍ରକାଶ କର, ପ୍ରୀତମ ଦାସ, କ୍ରିଷ୍ଣାମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/2.Sikhyanusthara-rajaniti-ku-birodh-kari-ABVP-ra-Bikhoba.jpg)