ବାଙ୍କୀ : ବାଙ୍କୀରେ ଶିଶୁକୁ ମାଙ୍କଡ଼ ଉଠାଇ ନେବା ଭଳି ଚର୍ଚ୍ଚିତ ଘଟଣାର ଦୁଃଖଦ ଅନ୍ତ ଘଟିଛି। ଶିଶୁର ମୃତଦେହ ସେହି ପରିବାରର ବାରି ପଛପଟ କୂଅରୁ ଉଦ୍ଧାର ହୋଇଛି। ସେହି ପରିବାର ଲୋକ ହିଁ ଶିଶୁର ମୃତଦେହ ପାଇବାରେ ସକ୍ଷମ ହୋଇଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଶିଶୁର ମୃତଦେହ ରାସ୍ତାରେ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ସୂଚନା ଅନୁସାରେ ବାଙ୍କି ଥାନା ପାଟଣାସାହିର ରାମକୃଷ୍ଣ ନାୟକଙ୍କ ପତ୍ନୀ ସରୋଜିନୀ ୧୫ ଦିନ ତଳେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଶିଶୁଟି କାନ୍ଦୁ ନଥିବାରୁ ଏବଂ ଅନ୍ୟ ଶାରୀରିକ ସମସ୍ୟା ଥିବାରୁ ତାକୁ କଟକ ଶିଶୁ ଭବନରେ ରଖି ଚିକିତ୍ସା କରାଯାଉଥିଲା। ଚାରି ଦିନ ତଳେ ଶିଶୁକୁ ଧରି ବାପା-ମା’ ଗାଁକୁ ଯାଇଥିଲେ। ଶୁକ୍ରବାର ରାତିରେ ମଶାରି ଭିତରେ ବାପା-ମା’ଙ୍କ ମଝିରେ ଶିଶୁଟି ଶୋଇଥିଲା। ଶନିବାର ଭୋର ପ୍ରାୟ ୬ଟା ବେଳେ ମା’ ବିଛଣାରୁ ଉଠି ଯାଇଥିବା ବେଳେ ସେହି ସମୟରେ ଏକ ମାଙ୍କଡ଼ ଶିଶୁ ପୁଅକୁ ଟେକିନେଲା ବୋଲି ତାଙ୍କ ମା’ ଦେଖି ପାଟି କରିଥିଲେ। ଏ ସଂପର୍କରେ ଚାରି ଆଡେ ପ୍ରଚାର ହେବା ପରେ ଗ୍ରାମବାସୀ ବନବିଭାଗ ଓ ପୁଲିସ ସହାୟତାରେ ଖୋଜାଖୋଜି କରିଥିଲେ। ୩୦ ଜଣିଆ ଦଳ ଦୀର୍ଘ ୫ କିଲୋମିଟର ଘଞ୍ଚ ଜଙ୍ଗଲ ଖୋଜାଖୋଜି କରିଥିଲେ ବି ପିଲାର ସନ୍ଧାନ ପାଇନଥିଲେ। ବାପା ମନ୍ଦିରରେ ଅଧିଆ ପଡିବା ସହ କାଳିସୀ ଦ୍ୱାରା ପୂଜାର୍ଚ୍ଚନା ଚାଲିଥିଲା। ଆଜି ସକାଳେ କିନ୍ତୁ ରାମକୃଷ୍ଣଙ୍କ ଘର ବାଡ଼ି ପଛରେ ଥିବା କୂଅରୁ ପାଣି କାଢିବା ବେଳେ ପିଲାର ଶବ ଭାସୁଥିବା ପରିବାର ଲୋକ ଦେଖିଥିଲେ। ଘଟଣାଟି ପ୍ରଚାରିତ ହେବା ପରେ ରାମକୃଷ୍ଣଙ୍କ ଘର ପାଖରେ ଲୋକଙ୍କ ଭିଡ଼ ଜମିଥିଲା। ମାତ୍ର ପରିବାର ଲୋକ ଘର ଭିତରେ ଶିଶୁର ଶବ ରଖି କାହାରିକୁ ଛାଡ଼ିନଥିଲେ। ପରେ ଶିଶୁର ଶବକୁ ବାଙ୍କୀ ଡାକ୍ତରଖାନା ଅଣାଯାଇଥିଲା। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁର ପରିବାରକୁ ସହାୟତା ରାଶି ଓ ଜଣକୁ ଚାକିରି ଦାବି କରି ଗ୍ରାମବାସୀ ଓ ପରିବାର ଲୋକ ତାଳବସ୍ତ ଫରେଷ୍ଟ ଅଫିସ ସମ୍ମୁଖରେ ଶିଶୁର ଶବ ରଖି ରାସ୍ତାରୋକ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ବନବିଭାଗ ଏସସିଏଫ୍ ରମାକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଜଣକୁ ଠିକା ନିଯୁକ୍ତି ଦେବା ପାଇଁ ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା।
ଅନ୍ୟପଟେ ମାଙ୍କଡ ଟେକି ନେବା ଏବଂ ଏଭଳି ଭାବେ ଶବ ମିଳିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଶବ ବ୍ୟବଚ୍ଛେଦ ବେଳେ ଶିଶୁ ଦେହରେ ରାମ୍ପୁଡ଼ା କିମ୍ବା ବାହ୍ୟ କ୍ଷତ ନଥିବା ଦେଖିବାକୁ ମିଳିଥିଲା। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘର ଚାରିପାଖ ଖୋଜାଖୋଜି କରାଯାଇଥିଲେ ବି ଆଜି ହଠାତ୍ କୂଅରୁ ଶବ ମିଳିବା ଘଟଣା ସଂଶୟ ସୃଷ୍ଟି କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।