ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ଦେଶରେ ସୋନୁ ସୁଦ୍‌ ଓ ଓଡ଼ିଶାରେ ସବ୍ୟସାଚୀଙ୍କ ସାହାଯ୍ୟ ପ୍ରଶଂସାଯୋଗ୍ୟ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଦେଶରେ ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ଫସି ରହିଛନ୍ତି। ସେମାନେ ଘରକୁ ଫେରିବା ପାଇଁ ଆକୁଳ ହୋଇପଡ଼ିଛନ୍ତି। କିଛି ପ୍ରବାସୀ ସାଇକେଲ ତ ଆଉ କେହି ଚାଲିଚାଲି ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବସ୍‌ର ବ୍ୟବସ୍ଥା କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ବି ଜୋର ଧରିଥିଲା। ଓଡ଼ିଶାରେ ଏହି କ୍ରମରେ ଏବେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନାମ ସାମିଲ ହୋଇ ଯାଇଛି।

 

ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣି ରିଲ୍‌ରୁ ରିଏଲ ହିରୋ ସାଜିଛନ୍ତି ସବ୍ୟସାଚୀ। ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରିବା ନେଇ ସବ୍ୟସାଚୀ କହନ୍ତି, କୋଏମ୍ବଟୁରରେ ଥିବା କିଛି ଓଡ଼ିଆ ଓ ଚେନ୍ନାଇରେ ଥିବା କିଛି ଓଡ଼ିଆ ଲୋକ ମୋ ସହିତ ସୋସିଆଲ ମିଡିଆ ଜରିଆରେ ଯୋଗାଯୋଗରେ ଥିଲେ। ତେବେ ଏମାନେ ଘରକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କ ମାଲିକ ଘରକୁ ବାହାର କରି ଦେଇଛନ୍ତି । ଫଳରେ ସେମାନେ କିଛି ଖାଇବାକୁ ପାଉ ନାହାନ୍ତି, ସେମାନଙ୍କ ଘରକୁ ଫେରିବା ପାଇଁ କିଛି ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ। ବ୍ୟବସ୍ଥା କିଛି ହୋଇ ନ ପାରିଲେ ସେମାନେ ଚାଲିଚାଲି ଘରକୁ ପଳାଇ ଆସିବେ ବୋଲି ମୋତେ କହିଥିଲେ। ଏହା ଶୁଣି ମୁଁ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲି।

ମୁଁ ଉକ୍ତ ଓଡ଼ିଆ ଶ୍ରମିକଙ୍କୁ ଧୈର୍ଯ୍ୟ ଧରିବାକୁ କହିଥିଲି। କୋଏମ୍ବଟୁରରୁ ୧୫ ଓ ଚେନ୍ନାଇରୁ ୧୫ଜଣ  ପ୍ରବାସୀ ଓଡ଼ିଆ ଆସିବା ପାଇଁ ଚାହୁଁଛନ୍ତି ଜାଣି ମୁଁ ସଙ୍ଗେସଙ୍ଗେ ଚେନ୍ନାଇର ଜଣେ ବସ୍‌ ମାଲିକଙ୍କୁ ଫୋନ୍‌ କରି ଶ୍ରମିକ ଭାଇମାନଙ୍କ ଅସୁବିଧା ଜଣାଇଥିଲି। ସେ ସଙ୍ଗେସଙ୍ଗେ ତାଙ୍କର ଜଣେ ବସ୍‌ ଚାଳକଙ୍କ ସହ କଥା ହୋଇଥିଲେ। ସେହି ସମୟରେ ବସ୍‌ ବି ମହଜୁଦ ଥିଲା। ଉକ୍ତ ଚାଳକ ବି ପ୍ରବାସୀମାନଙ୍କୁ ଓଡ଼ିଶା ନେଇ ଆସିବାକୁ ରାଜି ହୋଇ ଯାଇଥିଲେ।

ଏହାପରେ ସରକାରୀସ୍ତରରୁ, କୋଭିଡ଼ କଣ୍ଟ୍ରୋଲ ରୁମ୍‌ରୁ ଓ ଚେନ୍ନାଇ ପ୍ରଶାସନ ପକ୍ଷରୁ ବସ୍‌ରେ ପ୍ରବାସୀ ଶ୍ରମିକମାନେ ଆସିବାକୁ ଯାହା ସବୁ ଗାଇଡଲାଇନ୍‌ ରହିଛି ସେସବୁକୁ ପାଳନ କରି ପାସ୍‌ ବାହାର କରାଯାଇଥିଲା। ମାତ୍ର ୨ଘଣ୍ଟା ମଧ୍ୟରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଯାଇ ପ୍ରବାସୀ ଶ୍ରମିକଙ୍କ ପାଖରେ ଯାଇ ବସ୍‌ ପହଞ୍ଚି ଯାଇଥିଲା। ଆଉ ସେମାନେ ନିଜ ଘରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଏହି ୩୦ଜଣ ପ୍ରବାସୀଙ୍କ ମଧ୍ୟରୁ ରାୟଗଡ଼ା,ଗଞ୍ଜାମ ଓ ଭଦ୍ରକ ଭଣ୍ଡାରୀପୋଖରୀର କିଛି ପିଲା ରହିଛନ୍ତି।

 

ତେବେ କିଛିଦିନ ତଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଅଭିନେତା ସୋନୁ ସୁଦ୍‌ ଦେବଦୂତ ସାଜିଥିଲେ ଓ ସାଜିଛନ୍ତି ମଧ୍ୟ। ପରଦାରେ ସେ ସିନା ଖଳନାୟକ କିନ୍ତୁ କରୋନା ମୁକାବିଲା ବେଳେ ତାଙ୍କର ମହତ କାମ ତାଙ୍କୁ ଅସଲ ନାୟକର ପରିଚୟ ଦେଇଛି। ଲକ୍‌ଡାଉନ୍‌ ଯୋଗୁଁ ମୁମ୍ବାଇରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇବା ପାଇଁ ସୋନୁ ରୀତିମତ ବସ୍‌ର ବ୍ୟବସ୍ଥା କରିଚାଲିଛନ୍ତି। ଏ ପର୍ଯ୍ୟନ୍ତ ସେ ମୁମ୍ବାଇରେ ଫସି ରହିଥିବା ବିଭିନ୍ନ ରାଜ୍ୟର ୧୨ହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରାଇ ସାରିଲେଣି।

ସୋନୁ ନିଜ ବନ୍ଧୁ ନିତି ଗୋଏଲ୍‌, ପଙ୍କଜ ଜଲିସଟ୍‌ଗି, ହର୍ଷ ସିକାରିୟାଙ୍କ ଉଦ୍ୟମରେ ବସ୍‌ ଯୋଗାଡ଼ କରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଉଛନ୍ତି। ସୋନୁ ଓ ତାଙ୍କର ଟିମ୍‌ କର୍ଣ୍ଣାଟକ, ରାଜସ୍ଥାନ, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ ଓ ବିହାରକୁ ବସ୍‌ ଯୋଗେ ଶ୍ରମିକମାନଙ୍କୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର