ଆର୍‌ଜିଏଚ୍ ଆଇସୋଲେସନ୍ ୱାର୍ଡରେ ଚାଲୁନି ଏସି, ଅର୍ଦ୍ଧାଧିକ ଫ୍ୟାନ୍‌; ଗରମରେ ସିଝୁଛନ୍ତି କରୋନା ଆକ୍ରାନ୍ତ

ରାଉରକେଲା : କରୋନା ଆକ୍ରାନ୍ତଙ୍କ ପ୍ରାଥମିକ ଚିକିତ୍ସା ଓ ଅନ୍ୟ ରୋଗୀଙ୍କ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍)ରେ ଖୋଲାଯାଇଛି ଆଇସୋଲେସନ୍ ୱାର୍ଡ ( ପୃଥକ ରୋଗୀ କକ୍ଷ)। ପ୍ରାୟ ୪୦ ଶଯ୍ୟା ରହିଥିବା ୱାର୍ଡରେ ଦେଖାଦେଇଛି ନାନା ଅବ୍ୟବସ୍ଥା । କିନ୍ତୁ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ସ୍ବଳ୍ପ ସଂଖ୍ୟକ ନର୍ସ ଓ ଅକ୍ସିଜେନ୍ ଟେକ୍ନିସିଆନ୍‌ରେ ଚାଲୁଥିବା ଏହି ୱାର୍ଡରେ କରୋନା ଆକ୍ରାନ୍ତ ରୋଗୀମାନେ ନାହିଁ ନଥିବା ଦହଗଞ୍ଜ ହେଉଛନ୍ତି। ଗତକାଲି ବିଳମ୍ବିତ ରାତିରେ ୱାର୍ଡର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ସେକ୍ଟର-୨ ଅଞ୍ଚଳର କରୋନା ଆକ୍ରାନ୍ତ ହୋମ୍ ଆସୋଲେସନରେ ରହିଥିଲେ। ରାତିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସମ୍ପର୍କୀୟ ମୁକ୍ତିକାନ୍ତ ବିଶ୍ବାଳ ଆରଜିଏଚ୍ ଆଇସୋଲେସନ୍ ୱାର୍ଡରେ ତାଙ୍କୁ ଭର୍ତ୍ତି କରିଥିଲେ। ଆକ୍ରାନ୍ତ ଜଣଙ୍କ ଭର୍ତ୍ତି ହେବାର ମାତ୍ର କେଇ ମିନିଟ୍ ପରେ ବିଜୁଳି ଗୁଲ୍ ହୋଇଯାଇଥିଲା। ଘଣ୍ଟା ଘଣ୍ଟା ଧରି ୱାର୍ଡ ଅନ୍ଧାରରେ ରହିଥିଲେ ହେଁ ବିଜୁଳି ଆସି ନଥିଲା। କିଛି ରୋଗୀଙ୍କ ସମ୍ପର୍କୀୟ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ କହିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣି ନଥିଲେ। ଗରମରେ ସିଝିଥିଲେ ବେଡ୍‌ରେ ଅକ୍ସିଜେନ୍ ନେଉଥିବା କରୋନା ଆକ୍ରାନ୍ତ। ଅନ୍ୟ କିଛି ରୋଗୀ ଗରମ ସହ୍ୟ ନ କରି ପାରି ସମ୍ପର୍କୀୟଙ୍କ ସହ ୱାର୍ଡ ବାହାରକୁ ଚାଲି ଆସିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଜଣେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ଗରମ କିମ୍ବା ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ବିଭିନ୍ନ ରୋଗ ଥିବାରୁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି କଥା ରୋଗୀଙ୍କ ସମ୍ପର୍କୀୟ ସହଜରେ ଗ୍ରହଣ କରି ପାରି ନଥିଲେ।

ଗତକାଲି ରାତି ନୁହେଁ ପ୍ରାୟ ଅଧିକାଂଶ ସମୟରେ ଏଭଳି ସମସ୍ୟା ଉପୁଜୁଛି ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଆସୋସିଲେସନ୍ ୱାର୍ଡରେ ଯେତିକି ଏସି ଲାଗିଛି, ସେଥିରୁ ମାତ୍ର ଗୋଟିଏ ଚାଲୁଛି। ଅନ୍ୟ ସବୁ ଏସି ଗୁଡ଼ିକ ସେମିତି କାନ୍ଥରେ ଲାଗିଛି। ଅର୍ଦ୍ଧାଧିକ ଫଙ୍ଖା ବି କାମ କରୁ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା ଯେଉଁ ବେଡ୍‌ରେ କରୋନା ଆକ୍ରାନ୍ତ ଶୋଇ ଅକ୍ସିଜେନ୍ ନେଉଛନ୍ତି, ସେହି ବେଡରେ ତାଙ୍କ ସମ୍ପର୍କୀୟ ଶୋଇ ଯାଉଛନ୍ତି। ଆଉ କିଛି ରୋଗୀଙ୍କ ସମ୍ପର୍କୀୟ ବେଡ୍ ତଳେ ଚଟାଣରେ ଶୋଉଛନ୍ତି। କରୋନା ଆକ୍ରାନ୍ତଙ୍କ ସହ ମିଶିବା ପରେ ହସ୍ପିଟାଲରେ ଲୋକଙ୍କ ସହ ମିଳାମିଶା କରୁଥିଲେ ହେଁ ନର୍ସମାନେ ଏମାନଙ୍କୁ ବାରଣ କରୁନାହାନ୍ତି। ଅକ୍ସିଜେନ୍ ଟେକ୍ନିସିଆନ୍ ଓ ନର୍ସମାନଙ୍କୁ ପିପିଇ କିଟ୍ କିମ୍ବା ହାତରେ ଗ୍ଲୋବ୍ସ ପିନ୍ଧିବାକୁ ଦିଆଯାଉ ନାହିଁ। ସଂକ୍ରମଣ ଏଡାଇବାକୁ କୋଭିଡ୍ କେୟାର ହସ୍ପିଟାଲ, କୋଭିଡ ହସ୍ପିଟାଲ ପରି ଆସୋସିଲେସନ୍ ୱାର୍ଡରେ ଡ୍ୟୁଟି କରୁଥିବା ଅକ୍ସିଜେନ୍ ଟେକ୍ନିସିଆନ୍ ଓ ନର୍ସମାନଙ୍କୁ ପିପିଇ କିଟ୍ ଦେବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି।

ତେବେ କରୋନା ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଏହା ସତ୍ବେ ଆର୍‌ଜିଏଚ୍ ଆଇସୋଲେସନ୍ ୱାର୍ଡରେ ଏଭଳି ଅବ୍ୟବସ୍ଥା, ଚିକିତ୍ସା ସେବାର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର