ଭୁବନେଶ୍ବର-ରାଉରକେଲା ମଧ୍ୟରେ ଚାଲିବ ଏସି ଡବଲ୍‌ ଡେକର ଟ୍ରେନ୍‌!

ସମ୍ବଲପୁର : ବର୍ତ୍ତମାନ କୋଭିଡ୍ ପରିସ୍ଥିତି କାରଣରୁ ଦେଶରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇ ନାହିଁ। ତେବେ କ୍ରମଶଃ ସ୍ଥିତି ସ୍ବାଭାବିକ ହେବାରେ ଲାଗି ଥିବାରୁ ଆଗାମୀ କେଇ ମାସ ମଧ୍ୟରେ ସବୁ ଟ୍ରେନ୍‌ ନିୟମିତ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଟ୍ରେନ୍ ଗୁଡ଼ିକ ଚାଲିବା ପରେ ରେଳବାଇ ପକ୍ଷରୁ ଚଳିତ ବର୍ଷ ଚ‌ାଲିବାକୁ ଥିବା ନୂଆ ଟ୍ରେନ୍‌ ଆରମ୍ଭ, ଟ୍ରେନ୍‌ ସଂପ୍ରସାରଣ, ଟ୍ରେନ୍‌ ଗୁଡ଼ିକର ପୁନପୁନହତା ବୃଦ୍ଧି ସଂପର୍କରେ ପଦକ୍ଷେପ ନିଆଯିବ। ବାଙ୍ଗାଲୋରରେ ଅନୁଷ୍ଠିତ ଗତ ଅନ୍ତଃରେଳବାଇ ଟାଇମ୍‌ଟେବୁଲ୍‌ କମିଟି ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି। ଉକ୍ତ ବୈଠକରେ ପୂର୍ବତଟ ରେଳବାଇ ପକ୍ଷରୁ ଦିଆ ଯାଇଥିବା ବିଭିନ୍ନ ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ ୩ଟି ନୂଆ ଟ୍ରେନ୍‌ ଚଳାଚଳ, ୯ଟି ଟ୍ରେନ୍‌ର ସଂପ୍ରସାରଣ ତାଲିକାଭୁକ୍ତ ହୋଇଛି। ଏହା ଅନୁଯାୟୀ ଭୁବନେଶ୍ବରରୁ ରାଉରକେଲା ମଧ୍ୟରେ ଏକ ଡବଲ୍‌ ଡେକର୍‌ ଏସି ଟ୍ରେନ୍‌ ଚଳାଇବା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଥିଲା। ଭୋପାଳରୁ ଇନ୍ଦୋର ମଧ୍ୟରେ ଚାଲୁଥିବା ଏକ ଡବଲ୍‌ଡେକର୍‌ ଏସି ଟ୍ରେନ୍‌ ଯାତ୍ରୀ ଅଭାବରୁ ବନ୍ଦ ହୋଇ ପଡ଼ି ରହିଥିବାରୁ ଚାହିଦାକୁ ଦୃଷ୍ଟିରେ ରଖି ତା’କୁ ଭୁବନେଶ୍ବର-ରାଉରକେଲା ରୁଟ୍‌ରେ ଚଳା ଯାଇପାରେ ବୋଲି ଆଶା କରାଯାଉଛି।

ସେହିପରି ଭୁବନେଶ୍ବର-କଟକ ମଧ୍ୟରେ ଆଉ ଏକ ମେମୁ ଟ୍ରେନ୍‌ ତଥା ବିଶାଖାପାଟଣା-ୟାଲାଙ୍କା ମଧ୍ୟରେ ଏକ ଏକ୍ସପ୍ରେସ୍‌ ଚଳାଚଳ ପ୍ରସ୍ତାବ ତାଲିକାଭୁକ୍ତ ହୋଇଛି। ତେବେ ଟ୍ରେନ୍‌ ଚାଲିବା ପୂର୍ବରୁ ରେଳବାଇ ବୋର୍ଡର ଚୂଡ଼ାନ୍ତ ଅନୁମତିର ଆବଶ୍ୟକତା ରହିଛି। ଏହି ଟ୍ରେନ୍‌ ଭୋର୍‌ରୁ ଭୁବନେଶ୍ବରରୁ ବାହାରି ଢ଼େଙ୍କାନାଳ, ତାଳଚେର ରୋଡ୍‌, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଦେଇ ଅପରାହ୍‌ଣରେ ରାଉରକେଲା ପହଞ୍ଚିବ। ସେଠାରେ କିଛି ସମୟ ରହି ପୁଣି ସେହି ପଥରେ ଫେରି ରାତିରେ ଭୁବନେଶ୍ବରରେ ରହଣି କରିବ। ଏହାଛଡ଼ା ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ବିଲାସପୁରରୁ ସମ୍ବଲପୁର ଦେଇ ପୁରୀକୁ ଏକ ଟ୍ରେନ୍‌ ଚଳାଚଳ ପ୍ରସ୍ତାବ ମଧ୍ୟ ବୋର୍ଡର ଅନୁମତି ଅପେକ୍ଷାରେ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭୁବନେଶ୍ବରରୁ ହାୱଡ଼ା ମଧ୍ୟରେ ଏକ ଡବଲ୍‌ଡେକର୍‌ (ଉଭୟ ଏସି ଓ ଅଣଏସି କୋଚ୍‌ ଯୁକ୍ତ) ଟ୍ରେନ୍‌ ଚଳାଇବା ପାଇଁ ଟ୍ରାଏଲ୍‌ ରନ୍‌ କରା ଯାଇଥିଲା। କିନ୍ତୁ କୌଣସି କାରଣରୁ ତାହା ସେହି ରୁଟ୍‌ରେ ଚାଲି ନ ପାରିବାରୁ ତାକୁ ବିଶାଖାପାଟଣା ପଠାଇ ଦିଆ ଯାଇଥିଲା। ଏବେ ତାହା ବିଶାଖାପାଟଣାରୁ ବିଜୟୱାଡ଼ା ମଧ୍ୟରେ ଚଳାଚଳ କରୁଛି।

ଉପରୋକ୍ତ ନୂଆ ଟ୍ରେନ୍‌ ଚଳାଚଳ ପ୍ରସ୍ତାବ ବ୍ୟତୀତ ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍‌କୁ ଜମ୍ମୁତୱି ପର୍ଯ୍ୟନ୍ତ, ବିଶାଖାପାଟଣା-ନିଜାମୁଦ୍ଦିନ ଭାୟା ଟିଟିଲାଗଡ଼କୁ ହିସାର ପର୍ଯ୍ୟନ୍ତ, ନିଜାମୁଦ୍ଦିନ-ରାୟଗଡ଼ ଗୋଣ୍ଡୱାନା ଏକ୍ସପ୍ରେସ୍‌ ସମ୍ବଲପୁର ପର୍ଯ୍ୟନ୍ତ, ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ୍‌ ବିଶାଖାପାଟଣା ପର୍ଯ୍ୟନ୍ତ, ସମ୍ବଲପୁର-ମଡୁଆଡିଡି (ବନାରସ) ଏକ୍ସପ୍ରେସ୍‌ ବିଶାଖାପାଟଣା ପର୍ଯ୍ୟନ୍ତ, ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଭବାନୀପାଟଣା ପର୍ଯ୍ୟନ୍ତ, ବିଶାଖାପାଟଣା -କୋରାପୁଟ ପାସେଞ୍ଜର ଜଗଦଲପୁର ପର୍ଯ୍ୟନ୍ତ, ପୁରୀ-ଅନୁଗୁଳ ମେମୁ ରେଢ଼ାଖୋଲ ପର୍ଯ୍ୟନ୍ତ, ପୁରୀ-ତାଳଚେର ମେମୁ ସୁନାଖଣି ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ପ୍ରସ୍ତାବ ଆଲୋଚନା ହୋଇ ତାଲିକାଭୁକ୍ତ ହୋଇଛି। କିନ୍ତୁ ମଡୁଆଡିହି-ସମ୍ବଲପୁର ଟ୍ରେନ୍‌କୁ ବିଶାଖାପାଟଣା ସଂପ୍ରସାରଣକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଏହାଦ୍ବାରା ଅସ୍ଥି ବିସର୍ଜନ ପାଇଁ ଯାଉଥିବା ପଶ୍ଚିମ ଓଡ଼ିଶା ଲୋକଙ୍କୁ ଚାହିଦା ମୁତାବକ ସଂରକ୍ଷିତ ବର୍ଥ ମିଳିବ ନାହିଁ। ତେଣୁ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଅବିଭକ୍ତ କୋରାପୁଟର ଲୋକଙ୍କ ସୁବିଧା ପାଇଁ ଏହାକୁ ଅତି ବେଶୀରେ ରାୟଗଡ଼ା ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର