ପ୍ରାଥମିକ ଶ୍ରେଣୀ ପାଇଁ ବିକଳ୍ପ ପାଠ୍ୟଖସଡ଼ା

ଭୁବନେଶ୍ବର : କୋଭିଡ୍‌-୧୯ ତଥା ଲକ୍‌ଡାଉନ ସମୟରେ ଘରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ କାର୍ଯ୍ୟକଳାପରେ ବ୍ୟସ୍ତ ରଖିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହଯୋଗରେ ଏନସିଇଆରଟି ପକ୍ଷରୁ ଏକ ବିକଳ୍ପ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ସହାୟତାରେ ଏହି ପାଠ୍ୟଖସଡ଼ା(ଏକାଡେମିକ କ୍ୟାଲେଣ୍ଡର) ଅନୁଯାୟୀ ପାଠପଢ଼ା ଜାରି ରହିବ। ପୂର୍ବରୁ ଗତ ଏପ୍ରିଲ ମାସରେ ୪ ସପ୍ତାହର ବିକଳ୍ପ ଏକାଡେମିକ କ୍ୟାଲେଣ୍ଡର ଜାରି ହୋଇଥିଲା।

ଏହି କ୍ୟାଲେଣ୍ଡରରେ ଶିକ୍ଷକଙ୍କ ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ରହିଛି। ସାମାଜିକ ଗଣମାଧ୍ୟମ ଭଳି ବିଭିନ୍ନ ବୈଷୟିକ ଉପକରଣର ଉପଯୋଗ କରି ଛାତ୍ରଛାତ୍ରୀଙ୍କୁ ଆମୋଦପୂର୍ଣ୍ଣ ମାଧ୍ୟମରେ ପାଠ ପଢ଼ାଇବାର ପଦ୍ଧତି ଉପଲବ୍ଧ ଅଛି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଏହାର ଉପଯୋଗ କରିପାରିବେ। ମୋବାଇଲ, ରେଡିଓ, ଟିଭି, ଏସ୍‌ଏମଏସ୍‌ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମର ପହଞ୍ଚସ୍ତର ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଅଧିକାଂଶ ଲୋକଙ୍କ ନିକଟରେ ମୋବାଇଲ ଓ ଇଣ୍ଟରନେଟ୍‌ ସଂଯୋଗ ନଥିବାରୁ ସେମାନେ ହ୍ବାଟ୍‌ସଆପ୍‌, ଫେସବୁକ, ଟୁଇଟର, ଗୁଗଲ ଆଦି ସାମାଜିକ ଗଣମାଧ୍ୟମ ଉପକରଣର ଉପଯୋଗ କରିପାରନ୍ତି ନାହିଁ। ତାହାକୁ ଦୃଷ୍ଟିରେ ରଖି ଏହି କ୍ୟାଲେଣ୍ଡରରେ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ମୋବାଇଲ ଫୋନ ଏସ୍‌ଏମଏସ୍‌ କିମ୍ବା ଭଏସ୍‌ କଲ ମାଧ୍ୟମରେ ଶିକ୍ଷାଦାନ ପାଇଁ ମାର୍ଗଦର୍ଶିକା ରହିଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ(ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଶିଶୁ)ଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଏଥିରେ କଳା, ଚିତ୍ରାଙ୍କନ, ଶାରୀରିକ ବ୍ୟାୟାମ, ଯୋଗ, ପ୍ରାକ୍‌-ଧନ୍ଦାମୂଳକ ଦକ୍ଷତା ଆଦି ପରୀକ୍ଷାମୂଳକ କାର୍ଯ୍ୟକଳାପ ରହିଛି। ହିନ୍ଦୀ, ଇଂରାଜୀ, ଊର୍ଦ୍ଦୁ ଓ ସଂସ୍କୃତ ଭାଷାରେ ଶ୍ରେଣୀ ଓ ବିଷୟ ଆଧାରିତ ପାଠ୍ୟଖସଡ଼ା ରହିଛି। ଏହି କ୍ୟାଲେଣ୍ଡରକୁ ଏସସିଇଆରଟି/ଏସଆଇଇ, ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍‌ଇ, ରାଜ୍ୟ ସ୍କୁଲ ଶିକ୍ଷା ବୋର୍ଡକୁ ବିତରଣ କରାଯାଇଛି।

ସମ୍ବନ୍ଧିତ ଖବର