ଭୁବନେଶ୍ବର : କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର୍କୁ ସଂଶୋଧିତ କରାଯାଇଛି। ମେ’ ୧୫ରୁ ଆରମ୍ଭ ହେବାକୁ ଥିବା ଶିକ୍ଷାବର୍ଷ ଅଗଷ୍ଟ ୧୫ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଗତ ସପ୍ତାହରେ ଏଆଇସିଟିଇ ବିଜ୍ଞପ୍ତି ଜାରି କରିବା ସହ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାହାକୁ ଆଧାର କରି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। କିଭଳି ଓ କେଉଁ ଆଧାରରେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ, ସେନେଇ ଆଲୋଚନା କରାଯାଉଛି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ଅଗଷ୍ଟ ୧୬ ପରେ ଇଞ୍ଜିନିୟରିଂ କଲେଜଗୁଡ଼ିକୁ ଖୋଲିବାକୁ ଏଆଇସିଟିଇ କହିଛି। ତେବେ ରାଜ୍ୟର ସ୍ଥିତି ଦେଖି ବିଚାରବିମର୍ଶ କରାଯିବ। ଏହାପରେ କେବେଠାରୁ ପାଠପଢ଼ା ଆରମ୍ଭ ହେବ, ସେନେଇ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ କରିବାକୁ ପ୍ରସ୍ତାବ ରହିଛି। ଯଦି ସ୍ଥିତିରେ ସୁଧାର ଆସି ନ ଥିବ, ତେବେ ବୈଷୟିକ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଅନ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ। ଚଳିତ ବର୍ଷ ଆଇଟିଆଇ ଓ ପଲିଟେକନିକ୍ଗୁଡ଼ିକରେ ୩୦% ଛାତ୍ରୀଙ୍କ ନାମଲେଖା କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।