ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ପୁଣି ବଦଳିଲା ଶିକ୍ଷାବର୍ଷ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ପୁଣିଥରେ ଗାଇଡଲାଇନ ଜାରି କରିଛି ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ)। ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ଲାଗି ପୂର୍ବରୁ ମେ’ ୧୫ ସମୟ ସୀମା ଥିବାବେଳେ ଏବେ ତାହାକୁ ସେପ୍ଟେମ୍ବର ୧୫ ଯାଏ ଘୁଞ୍ଚାଇ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ କାଉନସେଲିଂ ତଥା ନାମଲେଖା ପ୍ରକ୍ରିୟା ଅକ୍ଟୋବର ୨୦ ସୁଦ୍ଧା ସରିବ। ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ତଥା ନାମଲେଖା ନଭେମ୍ବର ପହିଲା ସୁଦ୍ଧା ଶେଷ ହେବ। ଖାଲି ରହିଥିବା ସିଟ୍‌ରେ ନାମଲେଖା ନଭେମ୍ବର ୧୫ ସୁଦ୍ଧା ଶେଷ କରିବାକୁ କୁହାଯାଇଛି।

ପିଜିଡିଏମ/ପିଜିସିଏମ ପାଠ୍ୟକ୍ରମ ବ୍ୟତୀତ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ କ୍ଲାସ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ଲାଟେରାଲ ଏଣ୍ଟ୍ରିରୁ ଦ୍ବିତୀୟ ବର୍ଷକୁ ଉନ୍ନୀତ ହୋଇଥିବା ପିଲାଙ୍କ ପାଠପଢ଼ା‌ ନଭେମ୍ବର ୧ରୁ ଆରମ୍ଭ କରାଯିବ। କୋଭିଡ୍‌-୧୯ ଗାଇଡଲାଇନକୁ ପାଳନ କରି ଅନଲାଇନ, ଅଫଲାଇନ କିମ୍ବା ଉଭୟ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରିବ। ଛାତ୍ରଛାତ୍ରୀଙ୍କ ଇଣ୍ଡକସନ କ୍ଲାସ ୩ ସପ୍ତାହ ବଦଳରେ ଗୋଟିଏ ସପ୍ତାହ କରିବାକୁ ପରାମର୍ଶ ଦିଆଯାଇଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଆଧାରରେ ଶିକ୍ଷାବର୍ଷ ବଦଳି ପାରିବ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟାୟକ୍ରମେ ବିଜ୍ଞପ୍ତି ପ୍ରକାଶ ସହ ଗାଇଡ୍‌ଲାଇନ ଜାରି ହେବ। ଯେଉଁ ଶିକ୍ଷାନୁଷ୍ଠାନ ଇତିମଧ୍ୟରେ କ୍ଲାସ ଆରମ୍ଭ କରି ସାରିଛନ୍ତି ସେମାନେ କୋଭିଡ୍‌-୧୯ ଗାଇଡ୍‌ଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର