ଆସିକା : ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ (ଏସିସି) ର ପୂର୍ବତନ ସଭାପତି ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଭାଇ ବୀରେନ୍ଦ୍ର ଆରୁଖଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଋଣ ଖିଲାପୀ ଅଭିଯୋଗରେ ବୀରେନ୍ଦ୍ରଙ୍କ ନିର୍ଦ୍ଦେଶକ ପଦରେ ପ୍ରାର୍ଥିତ୍ବକୁ ନିର୍ବାଚନ ଅଧିକାରୀ ତଥା ଆସିକା ତହସିଲଦାର ସଂଜୟ କୁମାର ସାମନ୍ତରା ଆଜି ରଦ୍ଦ କରି ଦେଇଛନ୍ତି।

Advertisment

ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ ନିର୍ବାଚନ ପାଇଁ ବୀରେନ୍ଦ୍ର ୧୧ ନମ୍ବର ଜୋନ୍‌ରୁ ନିର୍ଦ୍ଦେଶକ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ, ତାଙ୍କ ବିରୋଧରେ ଋଣ ଖିଲାପ ଅଭିଯୋଗ ଆଣି ପ୍ରଦ୍ୟୁମ୍ନ ନାୟକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଅଭିଯୋଗ ସତ ପ୍ରମାଣିତ ହେବାପରେ ଏହା ଆଧାରରେ ବୀରେନ୍ଦ୍ରଙ୍କ ପ୍ରାର୍ଥିତ୍ବକୁ ରଦ୍ଦ କରାଯାଇଛି। ଫଳରେ ୧୧ ନମ୍ବର ଜୋନ୍ ପ୍ରାର୍ଥୀଶୂନ୍ୟ ହୋଇଛି। ଏ ସମ୍ପର୍କରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆଜି ସ୍ପଷ୍ଟ କରିଛନ୍ତି, ଶ୍ରୀ ଆରୁଖ ଋଣ ପରିଶୋଧ କରିଥିବା ନେଇ କୌଣସି କ୍ଲିୟରାନ୍ସ୍ ସାର୍ଟିଫିକେଟ୍ ଦିଆଯାଇନି। ସେ ଋଣଛାଡ଼ ଯୋଜନାରେ କିଛି ଟଙ୍କା ଜମା କରିଥିଲେ। ବକେୟା ଥିବା ୧ ଲକ୍ଷ ୯୧ ହଜାର ଟଙ୍କାର ସମୂଳସୁଧ ଏବେ ୩୫ ଲକ୍ଷରେ ପହଞ୍ଚିଛି। ‌ଅନ୍ୟପକ୍ଷରେ, ବୀରେନ୍ଦ୍ର ୨୦୦୧ ମସିହାରେ ଋଣ ନେଇଥିବା ବେଳେ ୨୦୦୮ ରେ ବ୍ୟାଙ୍କ୍ ନି‌ର୍ଦ୍ଦେଶକ ଓ ୨୦୧୫ରୁ ୨୦ ପର୍ଯ୍ୟନ୍ତ ପରିଚାଳନା ପରିଷଦର ସଭାପତି ଦାୟିତ୍ବ‌ରେ ରହିଥିଲେ। ସେତେବେଳେ ତାଙ୍କୁ ବ୍ୟାଙ୍କ୍ କାହିଁକି ଋଣ ଖିଲାପୀ ଭାବେ ଦର୍ଶାଇ ନଥିଲା ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଉ ବ୍ୟାଙ୍କ୍‌ର କାର୍ଯ୍ୟଧାରା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଥିସସହିତ, ବ୍ୟାଙ୍କ୍ ପରିସର ଗଣ୍ଡଗୋଳ ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଗତକାଲି ବୀରେନ୍ଦ୍ର ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କର୍ମଚାରୀମାନେ ତାଙ୍କୁ ଆକ୍ରମଣ କରିଥିବା ନେଇ ବୀରେନ୍ଦ୍ର ଆସିକା ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି କେସ୍ ନମ୍ବର ୬୮୫/୨୨ ଅନୁସାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ସେହିପରି ବୀରେନ୍ଦ୍ର ବ୍ୟାଙ୍କ୍ ଭିତରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିବା ଦର୍ଶାଇ ଶାଖା ପରିଚାଳିକା ଗୀତାଞ୍ଜଳି ବେହେରା ପାଲଟା ଏତଲା ଦେଇଥିଲେ। ଏହାକୁ ଆଧାର କରି କେସ୍ ନମ୍ବର ୬୮୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଶାଖା ପରିଚାଳିକା ଶ୍ରୀମତୀ ବେହେରା ଅନୁସୂଚିତ ଜାତିର ହୋଇଥିବାରୁ ଏସ୍‌ଡିପିଓ ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି।