ଏସିସିର ଦାଦାଗିରି, ୫ ଯୁବକଙ୍କୁ ନିର୍ଧୁମ ପିଟିଲେ

ବରଗଡ଼ : ନିିଆଁ ପୋଉଥିବା ୫ଜଣ ଯୁବକଙ୍କୁ ଉଠାଇ ନେବା ଏବଂ କାରଖାନା ଭିତରେ ବନ୍ଦ କରି ନିସ୍ତୁକ ମାଡ଼ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି ବରଗଡ଼ ଏସିସି ସିମେଣ୍ଟ କର୍ତୃପକ୍ଷଙ୍କ ବିରୋଧରେ। ଏହାକୁ କେନ୍ଦ୍ର କରି କାରଖାନା ପରିସରରେ ବୁଧବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ କାରଖାନା ମୁଖ୍ୟ ଗେଟ୍‌ରେ ଠୁଳ ହୋଇ ପ୍ରବଳ ପାଟିତୁଣ୍ଡ କରିଛନ୍ତି।

ଅଭିଯୋଗ ଅନୁସାରେ ଗତ ରବିବାର ରାତିରେ କାରଖାନା ପାଖରେ ପିପିଲିପାଲି ଗ୍ରାମର ୫ ଜଣ ଯୁବକ ଗୋବିନ୍ଦ ଏକ୍କା, ଲିଭିନ ବର୍ଜ, ଦୀପକ ବିଶ୍ୱାଲ, ରୋହିତ ପଣ୍ଡା ଓ ବାବୁଲୁ ପଟେଲ ପ୍ରବଳ ଶୀତ ଯୋଗୁଁ ନିଆଁ ପୋଉଥିଲେ। ସେଠାରେ ଏସିସିର ସୁରକ୍ଷାକର୍ମୀମାନେ ପହଞ୍ଚି ଯୁବକମାନଙ୍କୁ ବଳପୂର୍ବକ ଗାଡ଼ିରେ ବସାଇ ପ୍ଲାଣ୍ଟ ଭିତରକୁ ନେଇ ଯାଇଥିଲେ। ସେଠାରେ ଏସିସିର ବରିଷ୍ଠ ଅଧିକାରୀ ଏବଂ ସୁରକ୍ଷାକର୍ମୀ ମିଶି ଯୁବକମାନଙ୍କୁ ମାଡ଼ ମାରିଥିଲେ। ସଂପୃକ୍ତ ଯୁବକମାନଙ୍କୁ ପରେ ପୁଲିସ ଜିମାରେ ଦେଇଥିଲେ। ବୁଧବାର ଗ୍ରାମବାସୀମାନେ କାରଖାନା ଘେରାଉ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିଥିଲେ ହେଁ ବେଶ୍‌ କିଛି ସମୟ ଉତ୍ତେଜନା ଜାରି ରହିଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ପୃଥକ୍‌ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏସିସିର ମାନବ ସମ୍ବଳ ଅଧିକାରୀ ସମୀର ରାଉତଙ୍କୁ ଘଟଣା ସଂପର୍କରେ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇନଥିଲେ।

ସମ୍ବନ୍ଧିତ ଖବର