ବାଲିକୁଦାରେ ଦୁର୍ଘଟଣା, ୩ ମୃତ

ଫୁଲନଖରା-କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ଦୀପାବଳିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗୋପାଳନପୁର ନିକଟରେ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ମାରୁତି ସ୍ୱିଫ୍ଟ କାରରେ ୫ଜଣ ଯୁବକ ପୁରୀରୁ କଟକ ଫେରୁଥିବାବେଳେ ଏକ ଟ୍ରକ ସହିତ କାରର ଧକ୍କା ହୋଇଥିଲା। ଏଥିରେ କାରଟି ଭାଙ୍ଗି ଚୁରମାର ହେବା ସହିତ ସେଥିରେ ଯାଉଥିବା ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଉଛନ୍ତି ଖୋର୍ଦ୍ଧା ଜିଲା ପାଇକ ତିଗିରିଆ ଗ୍ରାମର ତ୍ରିନାଥ ମହାପାତ୍ର(୨୭), କଟକ ମଧୁପାଟଣା ଥାନା ନେତାଜୀ ନଗରର ଦୁର୍ଗାପ୍ରସାଦ ସିଂହ (୨୬) ଏବଂ ସେହି ଅଞ୍ଚଳର ରତନକୁମାର ଜେନା (୨୫)। ଅନ୍ୟ ଦୁଇଜଣ କଟକ ନୂଆପଡ଼ା ଲେବର କଲୋନୀର ଆଶୁତୋଷ ବେହେରା ଓ ଦିଲୀପ କୁମାର ମଲିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ମୃତକଙ୍କ ଶରୀରକୁ କାର ଭିତରୁ ବାହାର କରାଯାଇପାରିନଥିଲା। କଟର୍‌ ମେସିନ ସହାୟତାରେ ମୃତାହତଙ୍କୁ କାର ମଧ୍ୟରୁ ବାହାର କରାଯାଇଥିଲା।

ସମ୍ବନ୍ଧିତ ଖବର