ବନୀକରଣକୁ ତ୍ବରାନ୍ବିତ କର: ଜଙ୍ଗଲ ମନ୍ତ୍ରୀ

ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ

ଭୁବନେଶ୍ବର : ଏବର୍ଷ ରାଜ୍ୟର ୧ ଲକ୍ଷ ୫୦ ହଜାର ହେକ୍ଟର ଜମିରେ ବନୀକରଣ ଜାରି ରହିଛି। ଏଥିପାଇଁ ଜଙ୍ଗଲ ବିଭାଗର ୩ ହଜାର ୩୭୫ଟି ନର୍ସରିରେ ୧୦ କୋଟି ୮୬ ଲକ୍ଷ ଚାରା ଉତ୍ପାଦନ ହୋଇଛି। ଏଥିସହିତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୫୦ ହଜାର ହେକ୍ଟର ଜମିରେ ବନୀକରଣ କରାଯାଇ ୫୭ ଲକ୍ଷ ଗରିବଙ୍କ ଲାଗି ଶ୍ରମ ନିଯୁକ୍ତି ସୃଷ୍ଟି ହୋଇପାରିବ। ଗତ ୧୫ ତାରିଖ ସୁଦ୍ଧା ୪୩ ହଜାର ହେକ୍ଟର ଜମିରେ ୧ ଲକ୍ଷ ୨୬ ହଜାର ଚାରା ରୋପଣ ହୋଇଛି। ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା ମାଧ୍ୟମରେ ବନୀକରଣ ସହ ଜଙ୍ଗଲ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସଂପୃକ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ବନଖଣ୍ଡ ଅଧିକାରୀମାନେ ବନୀକରଣକୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଅଧିକରୁ ଅଧିକ ତ୍ବରାନ୍ବିତ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବନଖଣ୍ଡ ଅଧିକାରୀ ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି।

ଲୋକସେବା ଭବନରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ବନ୍ୟଜନ୍ତୁ-ମଣିଷ ସଂଘର୍ଷ ହ୍ରାସ କରିବା ପାଇଁ ଗତ ଜାନୁଆରିରେ ‘ଜନ ସୁରକ୍ଷା ଗଜ ରକ୍ଷା’ ନାମରେ ଏକ ନୂତନ ଯୋଜନା ପ୍ରଣୟନ ହୋଇଛି। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ନିଜ ଫସଲ ଜମିର ଚାରି ପାର୍ଶ୍ବରେ ସୌର ବାଡ଼ ନିର୍ମାଣ ପାଇଁ ଉତ୍ସାହିତ କରାଯାଉଛି। ଏଥିପାଇଁ ଓରେଡା ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବ। ଜଙ୍ଗଲ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ପେନ୍‌ସନ, ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନକୁ ବନଖଣ୍ଡ ଅଧିକାରୀମାନେ ତ୍ବରାନ୍ବିତ କରିବା ଜରୁରୀ। ପ୍ରତି ସପ୍ତାହରେ ଗୋଟିଏ ଦିନ ବନଖଣ୍ଡ ଅଧିକାରୀମାନେ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ସେମାନଙ୍କ ପ୍ରାପ୍ୟ ଶୀଘ୍ର ପ୍ରଦାନର ବ୍ୟବସ୍ଥା କରନ୍ତୁ ବୋଲି ମନ୍ତ୍ରୀ କହିଥିଲେ।

ବିଭାଗୀୟ ସଚିବ ମୋନା ଶର୍ମା ଯୋଗଦେଇ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନା ଓ କାର୍ଯ୍ୟକ୍ରମର କିଭଳି ସଫଳ ରୂପାୟନ ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ ଡିଏଫଓମାନଙ୍କୁ ମରାମର୍ଶ ଦେଇଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶଶି ପଲ୍‌ଙ୍କ ସମେତ ବିଭାଗର ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର