ପୁରୀ: ପୁରୀ ସଦର ବ୍ଲକ୍‌ ସମଙ୍ଗ ମୌଜାରେ ନିର୍ମାଣ କରାଯାଇଛି ବିରାଟ ପାର୍କିଂ। ଯେଉଁଠି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଯୋଗଦେବାକୁ ଆସୁଥିବା ଅତିଥି ଓ ବ୍ୟକ୍ତିବିଶେଷଙ୍କ ଗାଡ଼ି ପାର୍କିଂ ହେବ। ଯୁଦ୍ଧକାଳୀନ ଭିତ୍ତିରେ ଏହାର ସାଜସଜା ଚାଲିଛି। ସହଜରେ ଶ୍ରୀସେତୁରେ ଆସିବା ପାଇଁ ଏହି ପାର୍କିଂ ସ୍ଥଳରୁ ଶ୍ରୀସେତୁକୁ ନୂଆ ବାଟ ଫିଟିବ। ଏ ନେଇ ଏକ ଫୁଲ୍‌ଟନ୍‌ ବ୍ରିଜ୍‌ ସମଙ୍ଗ ମୌଜା ପାର୍କିଂରୁ ଶ୍ରୀସେତୁ ପର୍ଯ୍ୟନ୍ତ ନିର୍ମାଣ ହେଉଛି। ଜାନୁଆରି ୧୦ ତାରିଖ ସୁଦ୍ଧା ଏହି କାମ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।

Advertisment

ଦିନକ ତଳେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପଦାଧିକାରୀମାନଙ୍କ ସହିତ ସମଙ୍ଗ ଓ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳ, ଶ୍ରୀଦାଣ୍ଡ, ଶ୍ରୀସେତୁ ଓ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଶ୍ରୀ ଜେନା ସମଙ୍ଗ ପାର୍କିଂର ବିସ୍ତୃତ ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ସଂପୃକ୍ତ ଏକ ପ୍ରମୁଖ ପ୍ରକଳ୍ପ ହେଉଛି ସମଙ୍ଗ ପାର୍କିଂ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରିତ ଅତିଥି ଏଠାରେ ଗାଡ଼ି ପାର୍କିଂ କରି ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ଓ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିକଟରେ ପହଞ୍ଚିବେ। ଏଣୁ ସମଙ୍ଗ ପାର୍କିଂକୁ କିଭଳି ଗାଡ଼ି ଆସିବ, କିଭଳି ପାର୍କିଂ ହେବ, ଆସୁଥିବା ଅତିଥିଙ୍କୁ କିଭଳି ସ୍ବାଗତ କରାଯିବ, ପାର୍କିଂରୁ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସିବେ, ସାଙ୍ଗରେ ନେଇ ଆସିଥିବା ଗୁଆ ଓ ଅରୁଆ ଚାଉଳ କେଉଁଠି ଦେବେ, ତାର ବ୍ୟବସ୍ଥା କରାଯାଉଛି। ଲୋକେ ଶ୍ରୀଦାଣ୍ଡ ଦେଇ ପରିକ୍ରମା ପ୍ରକଳ୍ପକୁ ଆସିବେ ଓ ପୁଣି ଶ୍ରୀଦାଣ୍ଡ, ଶ୍ରୀସେତୁ ହୋଇ ସମଙ୍ଗ ପାର୍କିଂକୁ ଫେରିବେ।

publive-image

ଏ ଭିତରେ ସମଙ୍ଗ ପାର୍କିଂର ଲେଭଲିଂ କାମ ସରିଛି। ବ୍ରହ୍ମଗିରି ପାର୍ଶ୍ବରୁ ଗାଡ଼ି ପ୍ରବେଶ କରି ପାର୍କିଂ କରିବେ। ଆସିଥିବା ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଭିମୁଖେ ଶୋଭାଯାତ୍ରାରେ ବାହାରିବେ। ଏଣୁ ସମଙ୍ଗ ପାର୍କିଂରୁ ଶ୍ରୀସେତୁ ପର୍ଯ୍ୟନ୍ତ ଏକ ଫୁଲ୍‌ଟନ୍‌ ବ୍ରିଜ୍‌ ନିର୍ମାଣ ଚାଲିଛି। ଏହା ଜାନୁଆରି ୧୦ ତାରିଖ ସୁଦ୍ଧା ଶେଷ ହେବ। ଏହି ବ୍ରିଜ୍‌କୁ ଲାଗି ବାଲି ବସ୍ତା ଦେଇ ଆଉ ଏକ ରାସ୍ତା ତିଆରି ହେବ। ଲୋକାର୍ପଣ ଉତ୍ସବ ପୂର୍ବରୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବ। ଆସିଥିବା ଲୋକେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠାରେ ପୂର୍ବପ୍ରସ୍ତୁତ ଅଭ୍ୟର୍ଥନା କେନ୍ଦ୍ରରେ ପ୍ରତି ଜିଲ୍ଲାରୁ ଆସିଥିବା ବଛାବଛା ଲୋକ ଗୁଆ ଓ ଅରୁଆ ଚାଉଳ ଜମା ଦେବେ। ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପହଞ୍ଚିବେ।
ସେପଟେ ପଞ୍ଚାୟତିରାଜ ବିଭାଗ ଜରିଆରେ ଜାନୁଆରି ୧୮ ତାରିଖରୁ ବିଭିନ୍ନ ଜିଲ୍ଲାରୁ ଲୋକଙ୍କୁ ଆଣିବାର ବ୍ୟବସ୍ଥା କରାଯାଉଛି। ସେମାନେ ସମଙ୍ଗ ପାର୍କିଂରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟ ଅଭ୍ୟର୍ଥନା କେନ୍ଦ୍ରରେ ଗୁଆ, ଚାଉଳ ଦେଇ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସିବେ। ଦିନକୁ ୧୦ ହଜାର ଲୋକଙ୍କୁ ଆଣିବାକୁ ଯୋଜନା କରାଯାଇଛି। ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ରୁଟ୍‌ ଚାର୍ଟ ମରାଯିବ। ଜିଓ-ଲୋକେସନ୍‌କୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯିବ। ସମଙ୍ଗ ପାର୍କିଂସ୍ଥଳରେ ୧୨୦ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ। ସର୍ବସାଧାରଣଙ୍କ ଗାଡ଼ ମାଳତୀପାଟପୁର ଷ୍ଟାଣ୍ଡରେ ରହିବ। ସମଙ୍ଗଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପାଣି ସିଞ୍ଚନ ଓ ବିଶ୍ରାମ ବ୍ୟବସ୍ଥା ମଧ୍ୟ କରାଯିବ। ଶ୍ରୀମନ୍ଦିର ପାଖରେ ହାତପାଦ ପ୍ରକ୍ଷାଳନ ପାଇଁ ଅସ୍ଥାୟୀ ଫ୍ଲସ୍‌ ବେସିନ୍‌ ରହିବ। ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାନବାହନ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ୭ଟି ସୁସଜ୍ଜିତ ରଥ ସହିତ ସଂକୀର୍ତ୍ତନ ମଣ୍ଡଳୀ ବଡ଼ଦାଣ୍ଡ ପରିକ୍ରମା କରିବେ।