କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀ ସେତୁ ଉପରେ ଆଜି ସକାଳେ ଘଟିଛି ଏକ ଦୁର୍ଘଟଣା। ଏକ ମୋଟର ସାଇକେଲରେ ଦୁଇଜଣ ଯାଉଥିବା ବେଳେ ସେମାନଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଜୋର ଥିଲା ଯେ ଜଣେ ବାଇକ୍ ଆରୋହୀ ସେତୁ ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଅନ୍ୟ ଜଣେ ନଦୀ ଗର୍ଭକୁ ଖସିପଡ଼ିଥିଲେ। ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରଜଙ୍ଗ ଥାନା ପୁଲିସ ସହ ମିଶି ନଦୀ ଗର୍ଭକୁ ଖସିପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରିଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଦିପୁ ନାୟକ ଓ ସୂର୍ଯ୍ୟକାନ୍ତ ନାୟକ ନାମକ ଦୁଇ ଯୁବକ ପରଜଙ୍ଗ ଆଡ଼ୁ ତାଳଚେର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍କର୍ପିଓ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ପରେ ସ୍କର୍ପିଓ ଡ୍ରାଇଭର୍ ଭୟରେ ଗାଡି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗୁରୁତର ୨ଯୁବକଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ମେଡିକାଲକୁ ପଠାଯାଇଛି। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/par-1.jpg)