ଦୁର୍ଘଟଣା ନେଲା ୧୩ ଜୀବନ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ପ୍ରାୟ ୧୩ ଜଣଙ୍କର ପ୍ରାଣହାନି ଘଟିଛି। ବଡ଼ଦିନ ପୂର୍ବରୁ ଏହି ଘଟଣା ସବୁ ମହଲକୁ ସ୍ତବ୍ଧ କରିଛି। ଯାଜପୁରରେ ୩ଜଣ ଓ ସୁନ୍ଦରଗଡ଼ରେ ୩ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଝାରସୁଗୁଡାରେ ୨ଜଣ, କଳାହାଣ୍ଡି, ବାଲେଶ୍ୱର, ଖୋର୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଆମ ପ୍ରତିିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋରେଇ ଥାନା ଅନ୍ତର୍ଗତ ପାଟୁଳି ଗ୍ରାମର କାହ୍ନଚରଣ ବାରିକ୍‌ଙ୍କ ପୁଅ ଉମାକାନ୍ତ(୨୦) ହିରୋହୁଣ୍ଡା ସ୍ପ୍ଲେଣ୍ଡର୍‌ (ଓଆର୍‌-୦୪ଏଲ୍‌-୩୩୫୧)ରେ ଆସୁଥିବା ବେଳେ ଝୁମ୍ପୁରାରୁ ଭୁବନେଶ୍ୱର ଯାଉଥିବା ବସ୍‌ (ଓଆର୍‌-୦୫ଏକେ-୦୦୩୦) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଶହ ଶହ ସଂଖ୍ୟକ ସ୍ଥାନୀୟ ଲୋକେ ରାସ୍ତା ଉପରକୁ ଚାଲି ଆସିଥିଲେ। ଉତ୍ତେଜିତ ଲୋକମାନେ ଦୁର୍ଘଟଣା ଘଟାଇଥିବା ବସ୍‌ଟିକୁ ବାଡ଼େଇ ଭାଙ୍ଗି ଦେବା ସହ ୨୦ ନମ୍ବର ଜାତୀୟ ରାଜପଥ ଓ ପାଣିକୋଇଲି-ଯାଜପୁରରୋଡ଼ ରାସ୍ତାକୁ ଅବରୋଧ କରିଥିଲେ।

ସେହିପରି ଟମକା ଥାନା ୫୩ ନମ୍ବର ଜାତୀୟ ରାଜପଥର ଫୁଲଝର ଛକ ନିକଟରେ ଆଜି ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଗୋଟିଏ ବାଇକ୍‌ରେ ମୃତ ଯୁବକମାନେ ଟମକାରୁ ଡୁବୁରୀକୁ ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ମୃତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆୟତ୍ତପୁର ଗ୍ରାମର ପ୍ରଦୀପ ନାୟକଙ୍କ ପୁଅ ଆଲୋକ(୨୩) ଓ ନୟାଗଡ଼ ହରିଡ଼ାବାଡ଼ି ଗ୍ରାମର ଜୟକୃଷ୍ଣ ସାହୁଙ୍କ ପୁଅ କାହ୍ନଚରଣ(୨୬)। ଦୁଇ ଯୁବକ ଏକ ସିବିଜେଡ୍‌ ଗାଡ଼ିରେ ଆସୁଥିବା ବେଳେ ଫୁଲଝର ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ କୌଣସି ଅଜଣା ଗାଡ଼ି ବାଡ଼େଇ ପଳାଇ ଯାଇଥିଲା। ବ୍ରଜରାଜନଗର ଅନ୍ତର୍ଗତ ଲଖନପୁର ଥାନା ଏନଏଚ ୪୯ କୁଡ଼ାଲୋଇ ମେହେର ଢାବା ନିକଟରେ ରାୟଗଡ଼ ପଟୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବା ଫଳରେ ବାଇକ୍‌ରେ ଯାଉଥିବା ଦୁଇ ଜଣ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ଏହି ୨ ଜଣ ବାଇକ୍‌ ଆରୋହୀଙ୍କ ଝାରସୁଗୁଡ଼ା ସଦର ମେଡିକାଲରେ ମୃତ୍ୟୁ ହୋଇଛି। ଚିପସ ବୋଝେଇ ହୋଇଥିବା ଟ୍ରଲର୍‌ଟିକୁ ଜବତ କରାଯାଇଛି। ସେମାନେ ଲଖନପୁର ପଟେ ଯାଉଥିଲେ। ରବିବାର ଅପରାହ୍‌ଣ ସାଢ଼େ ୩ଟା ସମୟରେ ଟ୍ରେଲର (ଓଡି ୧୬ଡି ୨୫୨୨)ଟି ବାଇକ୍‌ (ଓଡି ୨୩ଏଫ ୧୫୬୦)ରେ ଥିବା କୁଡ଼ାଲୋଇର ରତନ ଆଗ୍ରିଆ (୨୩) ଏବଂ ସୁନ୍ଦରଗଡ଼ର ଅଜୟ ମୁଣ୍ଡା (୨୨)ଙ୍କୁ ଧକ୍କା ଦେଇଥିଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିଙ୍ଗାରି ଘାଟିରେ ପିକନିକ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଫଳରେ ଏହାର ଚାଳକ ହେମନ୍ତ ମାଝୀ(୨୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଟ୍ରଲିରେ ବସିିଥିବା ୯ ଜଣ ମହିଳାଙ୍କ ସମେତ ମୋଟ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦିନ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସୁନ୍ଦରଗଡ଼ ସହର ଉପକଣ୍ଠସ୍ଥ କରମଡ଼ିହିଠାରେ ଶନିବାର ମଧ୍ୟରାତ୍ରିରେ ସଂଘଟିତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ସାଙ୍ଗ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ-ଲଇକେରା ଥାନା ଡୁଡ଼ୁକାବାହାଲର ମୁକେଶ ପଶାୟତ (୨୦), ଲେଫ୍ରିପଡ଼ା ଥାନା ଦର୍ଲିପାଲୀର ସୁରଜ ପଟେଲ (୨୧) ଓ ଜମନକିରା ଥାନା ଛାମୁଣ୍ଡାର ନସୀବ ମହାକୁଡ଼ (୨୩)। ନିଶ୍ଚିତ ମୃତ୍ୟୁରୁ ଭସ୍ମା ଥାନା କିଞ୍ଜିର୍ମାର ଅଜିତ ପଶାୟତ (୨୨) ଅଳ୍ପକେ ବର୍ତ୍ତିଯାଇଛନ୍ତି। ଭୁଲ୍‌ ରାସ୍ତାରେ ଯାଇ ସେମାନେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି। ସଦର ଥାନା ପୁଲିସ ଦୁର୍ଘଟଣାର ଶିକାର ଟ୍ରକ୍‌-କାର୍‌କୁ ଜବତ କରିଛି।  ଗତକାଲି ସଂଧ୍ୟାରେ ଚାରିବନ୍ଧୁ ଅଜିତ, ନସୀବ, ମୁକେଶ ଓ ସୂରଜ ଭୋଜି ପାଇଁ କିଞ୍ଜିର୍ମାରେ ଏକତ୍ରିତ ହୋଇଥିଲେ। ଭୋଜି ପରେ ରାତି ପ୍ରାୟ ସାଢ଼େ ୧୧ଟାରେ ସେମାନେ ମାରୁତି ସୁଜୁକି କାର୍‌ (ଓଆର୍‌-୦୫ସି ୩୮୮୭)ରେ ନସୀବ ଓ ସୂରଜଙ୍କୁ ଦର୍ଲିପାଲୀ ଘରେ ଛାଡ଼ିବାପାଇଁ କିଞ୍ଜିର୍ମାରୁ ବାହାରିଥିଲେ। ସେମାନେ କରମଡିହି-ସର୍ଗିପାଲୀ ହୋଇ ଦର୍ଲିପାଲୀ ଯିବାର ଥିଲା, ମାତ୍ର ରାସ୍ତା ଭୁଲିଯିବାରୁ ସୁନ୍ଦରଗଡ଼-ରାଉରକେଲା ରାଜ୍ୟ ରାଜପଥ-୧୦ରେ ଗାଡ଼ି ଚଳାଇଥିଲେ। ସମାନ ଦିଗରୁ ଏକ ଟ୍ରକ୍‌ (ଓଡି-୧୬ବି-୨୪୨୫) ରାଜଗାଙ୍ଗପୁରକୁ ଯାଉଥିଲା। କରମଡିହି ବରୁଣ ଢ଼ାବା ପାଖ ବୁଲାଣୀରେ ସେମାନେ କାର୍‌ ବୁଲାଇ ଅଗ୍ରସର ହେଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ସହ ସାମ୍ନାସାମ୍ନି ଧକ୍କା ଦେଇଥିଲେ।

ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାରେ ଏକ ବାଲି ବୋଝେଇ ଡମ୍ପର ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ତାଙ୍କ ସହ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ତୁରନ୍ତ ସାହାଯ୍ୟ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ମୃତ ଯୁବକଙ୍କ ଶବ ରଖି ରାସ୍ତା ଅବରୋଧ କରିିଛନ୍ତି । ବ୍ରହ୍ମଗିରି ଥାନା ପଲ୍ଲୀ ସାମିଲ ଜାଡିପୁର ଗାଁର ଅଶୋକ ସାହୁ(୨୧) ଓ ଜଗନ୍ନାଥ ବେହେରା(୨୧) ଆଜି ସକାଳୁ ବାଇକ (ଓଡି-୧୩ଜି-୫୦୦୨)ଯୋଗେ ପୁରୀ ବାହାରିଥିଲେ । ଗାଁ ଠାରୁ ମାତ୍ର ୫ଶହ ମିଟର ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାରେ ଯାଉଥିବା ବେଳେ ଶୁକଳ ପଟୁ ଓଡି-୦୨ଟି-୧୮୦୧ ନମ୍ବର ବାଲି ବୋଝେଇ ଡମ୍ପର ଦ୍ରୁତ ଗତିରେ ଆସି ବାଇକକୁ ସାମନା ପଟୁ ଧକ୍କା ଦେଇଥିଲା।

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଭୋଗରାସ୍ଥିତ ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ୍‌ ପମ୍ପ ନିକଟରେ ଏକ ଅଜଣା ଟାଟାସୁମୋ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତ ବାଇକ୍‌ଚାଳକ ଜଣକ ହେଲେ ଦଶପଲ୍ଲା ବ୍ଲକ୍‌ ଚଢେୟାପଲ୍ଲୀ ଗୋଛା ଗ୍ରାମର ଭଗବାନ ନାୟକ(୪୫)। ପୂର୍ବାହ୍ନ ୧୧ଟାରେ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ଖଣ୍ଡଗିରି ଥାନା ନିକଟସ୍ଥ ଘାଟିକିଆ ଠାରେ ଆଜି ରାତିରେ ଏକ ହାଇଓ୍ଵାକୁ ପଛପଟୁ ଏକ ବାଇକ୍‌ ଧକ୍‌କା ଦେଇଥିଲା। ଏଥିରେ ଉମାକାନ୍ତ ପତି ନାମକ କିଟ୍‌ର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀପାଳ ବୋଲି ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଏମ୍‌ ଭବାନୀଶଙ୍କର ଓ ଓମ୍‌ ପ୍ରକାଶ ଦାସ ଗୁରୁତର ଅଛନ୍ତି।

୬୦ ନମ୍ବର ଜାତୀୟ ରାଜପଥ ଚାଳନ୍ତିସ୍ଥିତ ନିରଂଜନ ଢ଼ାବା ସନ୍ନିକଟରେ ଏକ ଡମ୍ପର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ବାଲେଶ୍ୱରରୁ ଓଡି୦୧ଏଲ୍‌-୧୦୯୦ ନମ୍ବରର ଏକ ହିରୋ ଗ୍ଲାମର ବାଇକ୍‌ରେ ଭୋଗରାଇ ଅଞ୍ଚଳର ୨ ଯୁବକ ଫେରୁଥିବାବେଳେ ଚାଳନ୍ତୀ ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଭୟ ବାଇକ୍‌ ଆରୋହୀଙ୍କୁ ବସ୍ତା ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଆରୋହୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ୨ଜଣ ଯୁବକଙ୍କ ପରିଚୟ ଜଣାପଡିନାହିଁ। ଦୁର୍ଘଟଣା ପରେ ଡମ୍ପରଟି ସେଠାରୁ ଖସି ପଳାଇଛି।

ସମ୍ବନ୍ଧିତ ଖବର