କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଝାରବେଲଦା ବାଇପାସ୍ ଛକ ନିକଟରେ ଟ୍ରକ୍ ଏକ ବାଇକ୍କୁ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁହେଁ ହେଲେ କେନ୍ଦୁଝର ସଦର ବ୍ଲକ୍ ନେଲୁଙ୍ଗ ପଞ୍ଚାୟତ ଝାରବେଲଦା ଗ୍ରାମର ଭାରତ ସିଂ (୪୨) ଓ ଲୋକନାଥ ସିଂ (୪୧)।
ଭାରତ ଏବଂ ଲୋକନାଥ ଏକ ବାଇକ୍ରେ କେନ୍ଦୁଝର ପଟୁ ବେଲଦା ଗ୍ରାମକୁ ଯାଉଥିଲେ। ବାଇପାସ୍ ଛକ ନିକଟରେ ତୁରୁମୁଙ୍ଗା ପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଉଭୟ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ବାଇପାସ୍ ଛକରେ ଟ୍ରାଫିକ ପୁଲିସ ମୁତୟନ କରିବା, ଲାଇଟ୍ ଲଗାଇବା, ହମ୍ପ୍ସ ନିର୍ମାଣ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। କେନ୍ଦୁଝର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat-1.jpg)