କୁଚିଣ୍ଡା: କୁଚିଣ୍ଡା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ରାସ୍ତା ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଟିକିରସିଂଘା ଗ୍ରାମର ରାଜେଶ କିଷାନ ଓ ଟୁଲୁ କିଷାନ ବାଇକ (ଓଡି ୨୮ଏ-୬୬୯୧)ରେ ଲଇମୁରାକୁ ଯାଉଥିବା ବେଳେ କିଆଝରନ ଗ୍ରାମ ନିକଟରେ ରାସ୍ତା ଉପରେ ପଡ଼ିଥିବା ଏକ ଗଛକୁ ଅନ୍ଧାରରେ ଦେଖି ନ ପାରି ଧକ୍କା ଦେଇଥିଲେ। ଉଭୟେ ରାସ୍ତାରେ ଉପରେ କଚାଡ଼ି ହୋଇ ପଡ଼ିବା ଫଳରେ ବାଇ୍‌କ ଚାଳକ ରାଜେଶଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଟୁଲୁ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ କୁଚିଣ୍ଡା ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତି କରିଛି।

Advertisment

ସେହିପରି ଶନିବାର ସକାଳେ ଜର୍ଡା ଗ୍ରାମର ରଞ୍ଜନ ତିର୍କୀ ବାଇକ (ଓଡି ୨୩- ୨୬୩୯)ରେ ଗାଁ’କୁ ଯାଉଥିବା ବେଳେ କୁଚିଣ୍ଡା-କୁସୁମୀ ରାସ୍ତାର କଦୋପଡ଼ା ଛକ ନିକଟରେ ଏକ ୧୬ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କୁସୁମୀ ଫାଣ୍ଡି ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଆଣିଥିଲା। ଏ ନେଇ ମହୁଲପାଲି ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।