ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା-ଚମ୍ପୁଆ ରାସ୍ତାରେ ଆଜି ରାତିରେ ବୁଲେଟ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ତୁରୁମୁଙ୍ଗା ଥାନା ତେନ୍ତେଳା ଗ୍ରାମର କାର୍ତ୍ତିକ ମହାରଣା (୩୦) ଓ ସନ୍ତୋଷ କାରୁଆ (୩୬)। ଗୁରୁତରମାନେ ହେଲେ ବାରିଆ ଥାନା କଙ୍କଡ଼ା ଗ୍ରାମର ବାବୁଲା ନାଏକ (୨୩) ଓ ଶଙ୍କର ମହାନ୍ତ (୨୫)। ସ୍କୁଟିରେ କାର୍ତ୍ତିକ ଓ ସନ୍ତୋଷ ଚମ୍ପୁଆ ପଟୁ ତୁରୁମୁଙ୍ଗା ଅଭିମୁଖେ ଆସୁଥିଲେ।

Advertisment

ବିପରୀତ ଦିଗରୁ ବାବୁଲା ଓ ଶଙ୍କର ଏକ ବୁଲେଟ୍‌ରେ ତୁରୁମୁଙ୍ଗାରୁ ନିଜ ଗ୍ରାମ କଙ୍କଡ଼ା‌ ଯାଉଥିଲେ। ଲକ୍ଷ୍ମୀପଶି ନିକଟରେ ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। କାର୍ତ୍ତିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ଗୁରୁତରମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନା ପଠାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।