ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ସଦର ଥାନାଞ୍ଚଳରେ ୪୯ ନଂ ଜାତୀୟ ରାଜପଥରେ ଭିନ୍ନ ଭିନ୍ନ ୨ଟି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବଡ଼ମାଳର ପଙ୍କଜିନୀ ସ‌ାହୁ(୩୫) ଓ ବ୍ରଜରାଜନଗର ତେଲେନପାଲିର ପିଟର ପଢ଼ିଆରୀ(୨୭)। ସୂଚନା ପାଇ ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଉଭୟ ଘଟଣାର ୨ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବଡ଼ମାଳ ଥାନା ଡବ୍‌କା କଟିକେଲାରୁ ମହେନ୍ଦ୍ର ସାହୁ ଓ ସ୍ତ୍ରୀ ପଙ୍କଜିନୀ ଏକ ସ୍କୁଟି(ଓଡି ୨୩ ଇ ୬୦୫୪) ଯୋଗେ ବ୍ରଜରାଜନଗରକୁ ଯାଉଥିଲେ। ଏହି ସମୟରେ ଏଚ୍‌ କଟାପାଲି ନିକଟସ୍ଥ ଇଣ୍ଡିଆନ୍‌ ପେଟ୍ରୋଲ ପମ୍ପ ସମ୍ମୁଖ‌‌ରେ କୌଣସି ଅଜଣା ଭାରୀ ଯାନ ସେମାନଙ୍କୁ ଧକ୍କା ଦେଇଥିଲା।

Advertisment

ଫଳରେ ଦମ୍ପତି ଗାଡ଼ିରୁ ପଡ଼ି ଯାଇଥିଲେ। ଏହି ସମୟରେ ଉକ୍ତ ଭାରୀଯାନର ଚକ ପଙ୍କଜିନୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦ୍ବିତୀୟ ଘଟଣାରେ ସଦର ଥାନା ଅନ୍ତର୍ଗତ ଗଉନ୍ତିଆପଡ଼ା ଗଉନ୍ତିଆଗୁଡ଼ି ନିକଟରେ କୌଣସି ଅଜଣା ଗାଡ଼ି ଏକ ବାଇକ୍‌(ଓଡ଼ି ୧୫ ଏସ୍‌ ୦୩୧୨)କୁ ଧକ୍କା ଦେଇଥିଲା। ଏହି ଘଟଣାରେ ପିଟରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହିତ ଥିବା ୧୨ ବର୍ଷର ବାଳକ ଚନ୍ଦନ ମହାନ୍ତି ଆହତ ହୋଇଥିବା ଜଣାପଡ଼ିଛି।