ପଛପଟୁ ଧକ୍କା ଦେଲା ଟ୍ରଲର୍: ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ, ଜଣେ ଗୁରୁତର

ଚମ୍ପୁଆ: କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ୫୨୦ ନମ୍ବର ଜାତୀୟ ରାଜପଥରେ ରଘୁଆଳ ସାହି ନିକଟରେ ଗୋଟିଏ ବାଇକରେ ତିନିଜଣ ଯୁବକ ରିମୁଳିରୁ ଯୋଡ଼ାକୁ ଯାଉଥିଲେ। ରାତି ପ୍ରାୟ ୯ଟା ବେଳେ ସେହି ବାଇକକୁ ପଛପଟୁ ଏକ ଟ୍ରଲର୍ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ଗୁରୁତର ଯୁବକଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅନ୍ୟ ଦୁଇ ମୃତକଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଉପରୋକ୍ତ ତିନିଜଣଙ୍କର ପରିଚୟ ମିଳିନାହିଁ।
ଏଣେ ୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଗୋହିରା ସର୍ଭିସ ରୋଡରେ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ନିକଟସ୍ଥ ଇନ୍ଦୁପୁରା ଗ୍ରାମର ବାବୁ ଝାଲିଆ (୪୦)।
ବୁଧବାର ଦିନ ପ୍ରାୟ ସାଢ଼େ ୧୨ଟାବେଳେ ବାବୁ ବାଇକରେ ଆସୁଥିବାବେଳେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଆର୍ଏସ୍ଏସ୍ କମ୍ପାନିର ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ବାବୁ ବାଇକ୍ ସହିତ ହାଇୱା ତଳେ ଲାଗି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ପଠାଯାଉଥିବା ବେଳେ ହସନପୁର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘସିପୁରା ପୁଲିସ ଏକ ମାମଲା ରୁଜୁ କରିଛି। ମୃତଦେହ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର