ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ୨ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ଅଧାବାଟରେ ଚାଲିଗଲା ଦୁଇ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ଜୀବନ। ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ପଶ୍ଚିମବଙ୍ଗ ମାଣିକତାଲା ଅଞ୍ଚଳର ୪ଜଣ ଶ୍ରଦ୍ଧାଳୁ ଶୁଭଜିତ ବିଶ୍ବାସ(୫୮), ଅରୁଣ ମୁଖାର୍ଜୀ(୫୬), ସଞ୍ଜୀବ ଶାହା ଓ ଅର୍ଜିତ ଦତ୍ତ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ କାର୍‌ (ଡବ୍ଲ୍ୟୁବି ୦୨ଏଏନ-୭୯୪୫) ଯୋଗେ ପୁରୀ ଯାଉଥିଲେ। ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ସାମ୍ନାରେ ଯାଉଥିବା ଏକ ହାଇୱା ଟ୍ରକ୍‌ ହଠାତ ଡାହାଣ ପାର୍ଶ୍ୱକୁ ମାଡ଼ିଆସିବାରୁ କାରଟି ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ କାରର ସମ୍ମୁଖ ଭାଗ ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଥିଲା। ସେଥିରେ ଯାଉଥିବା ୪ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇଥିଲେ। ଭଣ୍ଡାରିପୋଖରୀ ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଭଦ୍ରକ ଡାକ୍ତରଖାନା ପଠାଯାଇଥିବା ବେଳେ ଡାକ୍ତର ଶୁଭଜିତ ଓ ଅରୁଣଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୀବ ଶାହା ଓ ଅର୍ଜିତ ଦତ୍ତ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଧାମନଗର ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର