ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ୫୩ ନଂ. ଜାତୀୟ ରାଜପଥର ଚଟିବରଘାଟ-କଂସରଦ୍ବିବାଟି ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏକ ପିକ୍ ଅପକୁ ଅଜଣା ଟ୍ରକ୍ ଧକ୍କା ଦେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଥାନା ବଳମ ଗ୍ରାମର ସଂଜୀବ ରାଉତ(୨୩) ଓ ଭାଲୁମୁଣ୍ଡା ଗ୍ରାମର ଚନ୍ଦନ ପଲେଇ(୨୪)। ସୂଚନା ଅନୁଯାୟୀ, ସଂଜୀବ ଓ ଚନ୍ଦନ ସମ୍ପୃକ୍ତ ପିକ୍ ଅପରେ କିଛି କାମରେ ସମ୍ବଲପୁର ଯାଇଥିଲେ। କାମସାରି ଦେବଗଡ଼ ଅଭିମୁଖେ ଫେରିବା ସମୟରେ ୫୩ନଂ. ଜାତୀୟ ରାଜପଥର ଚଟିବରଘାଟ-କଂସରଦ୍ବିବାଟି ରାସ୍ତାରେ ସେମାନଙ୍କ ଗାଡ଼ି ଚକା ପଙ୍କଚର ହୋଇଥିଲା।

Advertisment

ସେମାନେ ଗାଡ଼ି ଅଟକାଇ ଚକ ଖୋଲୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କାଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲା। ଘଟଣାସ୍ଥଳରେ ହିଁ ଚନ୍ଦନଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ସଂଜୀବଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ପୁଲିସ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସେହିପରି ଜିଲ୍ଲାର ବାରକୋଟ ଥାନା ୪୯ନଂ. ଜାତୀୟ ରାଜପଥର ବମପରଡ଼ା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ କୁଶ ନାଏକ(୨୨) ନାମକ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ତା’ଙ୍କ ଘର ବାରକୋଟ ଥାନା କତରାପାଲି ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କୁଶ ଗୁରୁବାର ସନ୍ଧ୍ୟାରେ କୌଣସି କାମରେ ବମପରଡ଼ା ଗ୍ରାମକୁ ଆସିଥିଲେ। ତେବେ କାମ ସାରି କତରାପାଲି ଫେରୁଥିବା ବେଳେ ତା’ଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ କୁଶଙ୍କ ମୃତ୍ୟୁ ହୋଇଥିବା ବେଳେ ବାରକୋଟ ଥାନା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି।