ଯାତ୍ରୀବାହୀ ବସ୍‌ ଦୁର୍ଘଟଣା: ୩ ମୃତ, ୫ ଗୁରୁତର

ରାଉରକେଲା: ଭୁବନେଶ୍ବରରୁ ରାଉରକେଲାକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁଣ୍ଡିଆ ବ୍ଲକ୍‌ରେ ଥିବା ତଥା ଲାଠିକଟା ବ୍ଲକ୍‌ ମୁଖ୍ୟାଳୟ ନିକଟସ୍ଥ ଚାନ୍ଦିପୋଷ ଥାନାଠାରୁ ଅନତି ଦୂରରେ ଜାତୀୟ ରାଜପଥ ୧୪୩ରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛପଟୁ ଦ୍ରୁତଗତିରେ ଆସି ବସ୍‌ଟି ଧକ୍କା ଦେବାରୁ ଅକାଳରେ ୩ ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଲା। ମୃତକମାନେ ହେଉଛନ୍ତି ବସ୍‌ ମାଲିକ ସତ୍ୟବ୍ରତ ନାୟକ (୩୩), ବସ୍‌ ଚାଳକ ଅନୁପମ ବିବେକ ଲାକ୍ରା ଓ ଆର୍ଶିତା ଟୁଡ଼ୁ (୧୩)। ଏହାସହ ୫ ଗୁରୁତର ଯା​ତ୍ରୀ ରାଉରକେଲାର ଜୟ ପ୍ରକାଶ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଳ୍ପ ଆହତ ୭-୮ ଯାତ୍ରୀ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଛନ୍ତି।

ପ୍ରତିଦିନ ଭଳି ଗତକାଲି ରାତିରେ ପ୍ରଭା ନାମକ ଏହି ବସ୍‌ (ଓଡି-୧୪-ଏମ୍‌-୮୬୬୯) ଭୁବନେଶ୍ବରରୁ ବାହାରି ରାଉରକେଲା ଅଭିମୁଖେ ଆସୁଥିଲା। ବସ୍‌ରେ ରାଉରକେଲା ତଥା ଆଖପାଖର ଜଲଦା, ଫର୍ଟିଲାଇଜର, ଝିରପାଣି ଅଞ୍ଚଳର ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ। ଭୋର୍‌ ପାଖାପାଖି ୪ଟା ୧୫। ଚାନ୍ଦିପୋଷ ଥାନାଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଖୁସବୁ ଢ଼ାବା ପାଖରେ ଏକ ହାଇୱା (ଓଡି-୧୬-ଏଫ୍‌-୨୭୭୫) ବ୍ରେକ୍‌ ଡାଉନ୍‌ ହେବାରୁ ଛିଡ଼ା ହୋଇରହିଥିଲା। ବସ୍‌ଟି ଅତି ଦ୍ରୁତଗତିରେ ଆସୁଥିବାରୁ ବସ୍‌ ଚାଳକ ରାସ୍ତା ଉପରେ ଛିଡ଼ା ହୋଇଥିବା ହାଇୱାକୁ ଦେଖିପାରି ନଥିଲେ। ସମ୍ଭବତଃ ମାତ୍ରାଧିକ ବେଗ ସହ ଚାଳକଙ୍କ ଆଖି ଲାଗିଯିବାରୁ ବସ୍‌ଟି ହାଇୱାର ପଛପଟକୁ ଧକ୍କା ଦେଇଥିଲା। ଫଳରେ ଚାଳକଙ୍କ ସହ ତାଙ୍କ ପଛପଟେ ବସିଥିବା ବସ୍‌ ମାଲିକ ସତ୍ୟବ୍ରତ ଓ ତାଙ୍କ ପଛକୁ ବସିଥିବା ଆର୍ଶିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଭୁବନେଶ୍ବରରୁ ରାଉରକେଲା ଆସୁଥିଲା
ଚାନ୍ଦିପୋଷ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା
ରାସ୍ତାରେ ଛିଡ଼ା ହୋଇଥିବା ହାଇୱାକୁ ପିଟିଲା ବସ୍‌

ଏତଦ୍‌ବ୍ୟତୀତ ବସ୍‌ ଚାଳକ ଅନୁପମ, ମୃତ ଆର୍ଶିତାଙ୍କ ମା’ ସୁଜାତା ଟୁଡ଼ୁ (୩୫), ଜଲଦା ନିବାସୀ ମଦନ ସିଂହ (୩୮), ଜୟନ୍ତୀ କୁମାରୀ ବିଶ୍ବାଳ, ଦୀପକ ପଟ୍ଟନାୟକ ଓ ବସ୍‌ କଣ୍ଡକ୍ଟର ଅମିତାଭ ଧଳ ଗୁରୁତର ଆହତ ହୋଇଥିଲେ। ଚାରିଟି ଆମ୍ବୁଲାନ୍‌ସ ଯୋଗେ ଗୁରୁତର ଆହତଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)କୁ ଅଣାଯାଇଥିଲା। ତେବେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ସମସ୍ତଙ୍କୁ ଜୟ ପ୍ରକାଶ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ଚାଳକ ଅନୁପମଙ୍କ ପ୍ରାଣବାୟୂ ଉଡ଼ିଯାଇଥିଲା। ଏବେ ବି ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାବେଳେ ଉଭୟଙ୍କର ଚିକିତ୍ସା ସେବା ଜାରି ରହିଛି। ଦୁର୍ଘଟଣାରେ ଏହି ୩ ମୃତକ ଓ ୫ ଗୁରୁତର ଆହତଙ୍କ ବ୍ୟତୀତ ପାଖାପାଖି ଆଉ ୭-୮ ଜଣ ସାମାନ୍ୟ ଆହତ ହୋଇଥିଲେ। ତେବେ ସେମାନେ ସରକାରୀ ଡାକ୍ତରଖାନା ନ ଆସି ଅନ୍ୟତ୍ର ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର