ଘର ଉପରେ ଓଲଟିଲା ଟ୍ରକ୍, ତିନି ଗୁରୁତର

କେନ୍ଦୁଝର: ଘରେ ଶୋଇଥିବା ବେଳେ, ଭାରସାମ୍ୟ ହରାଇ ଘର ଉପରେ ଓଲଟିଗଲା ମହୁଲ ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ସ୍ବାମୀ, ସ୍ତ୍ରୀ ଓ ୭ବର୍ଷର ଝିଅ। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଷଠିଘର ସାହି ନିକଟରେ। ୨୦ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୁରୁଣା ବଜାର ଷଠିଘର ସାହିରେ ମହେଶ ପାତ୍ର, ତାଙ୍କ ସ୍ତ୍ରୀ ଓ ୭ ବର୍ଷର ଝିଅ ଶୋଇଥିବା ବେଳେ ଗୋଟିଏ ମହୁଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ମହେଶଙ୍କ ଘରର କାନ୍ଥ ଭାଙ୍ଗିଯାଇଥିଲା।

ଶୋଇଥିବା ଅବସ୍ଥାରେ ୩ଜଣଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ପୀଡ଼ିତଙ୍କୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର