ମାଲକାନଗିରି / ଚିତ୍ରକୋଣ୍ଡା: ଭୂତାଣୁ ଭୟ ଏବଂ ଭୋକର ଯନ୍ତ୍ରଣା ମଧ୍ୟରେ ଲୁଚିଛପି ଆସିବା ହେଲା କାଳ। ଭିିଟାମାଟିରେ ପହଞ୍ଚିିବା ପୂର୍ବରୁ ଅକାଳରେ ଚାଲିଗଲା ଜୀବନ। ଅନ୍ଧାର ରାତିରେ ଗଭୀର ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ପ୍ରାଣ ହରାଇଛନ୍ତି ୫ଶିଶୁ ଓ ଜଣେ ମହିଳା। ଅନ୍ୟ ଦୁଇ ଜଣଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳୁନି। ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ବ୍ଲକ ସିଲେରୁ ଜଳଭଣ୍ଡାରରେ ଏମିତି ଛାତିଥରା ଘଟଣା ଗତକାଲି ରାତିରେ ଘଟିଛି। ପ୍ରଶାସନ ପକ୍ଷରୁ ନିଖୋଜ ଦୁଇ ଜଣଙ୍କ ସନ୍ଧାନ ଜାରି ରହିଛି।
ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାବାଡ଼ା ପଞ୍ଚାୟତ ଗୁଣ୍ଠାବାଡ଼ା ଏବଂ କନ୍ଧଗୁଡ଼ା ଗ୍ରାମର ୩ ପରିବାର କିଛି ମାସ ତଳେ କାମ ସନ୍ଧାନରେ ଆନ୍ଧ୍ରକୁ ଚାଲି ଯାଇଥିଲେ। ସେଠାରେ ଗୋଟିଏ ଇଟାଭାଟିରେ ସେମାନେ କାମ କରୁଥିଲେ। ତେବେ ଆନ୍ଧ୍ରରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ସରକାର ଲକ୍ଡାଉନ୍ ଘୋଷଣା କଲେ। ଯାହାଫଳରେ ସେମାନେ ଜୀବିକା ହରାଇ ନିଜ ଗାଁକୁ ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କଠୋର କଟକଣା ଲାଗୁ ହୋଇଥିବାରୁ ଏବଂ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଲୁଚିଛପି ଘରକୁ ଯିବାକୁ ୩ ପରିବାରର ମୋଟ ୧୧ଜଣ ସଦସ୍ୟ ବାହାରିଥିଲେ। ତେବେ ସେମାନେ ସଡ଼କ ପଥରେ ଅନେକ ପ୍ରତିବନ୍ଧକ ରହିଥିବାରୁ ଜଳପଥରେ ଯିବାକୁ ବିଚାର କରିଥିଲେ। ବହୁ କଷ୍ଟରେ ସିଲେରୁ ଜଳଭଣ୍ଡାରରେ ପହଞ୍ଚିବା ପରେ ଦୁଇଟି ମାଛଧରା ଦେଶୀ ଡଙ୍ଗା ଯୋଗାଡ଼ କରିଥିଲେ। ଗୋଟିଏ ଡଙ୍ଗାରେ ୫ଜଣ ଏବଂ ଅନ୍ୟ ଡଙ୍ଗାରେ ୬ଜଣ ଚଢ଼ିବା ପରେ ରାତି ଅଧରେ ଡଙ୍ଗା ଗନ୍ତବ୍ୟ ଅଭିମୁଖେ ବାହାରରିଥିଲା।
ଅନ୍ଧାର ରାତିରେ ଏମିତି ବିପଦପୂର୍ଣ୍ଣ ଯାତ୍ରା ଶେଷରେ ସେମାନଙ୍କ ପାଇଁ ଘାତକ ସାଜିଲା। ଆଗେ ଆଗେ ଯାଉଥିବା ଦେଶୀ ଡଙ୍ଗା ଅନ୍ଧାରେ ଗୋଟିଏ ବଡ଼ ଖୁଣ୍ଟରେ ଯାଇ ବାଡ଼େଇ ହୋଇଯାଥିଲା। ଯାହାଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପ୍ରାଣ ବିକଳରେ ସମସ୍ତେ ଚିତ୍କାର କରିବା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ପଛରେ ଆସୁଥିବା ଅନ୍ୟ ଗୋଟିଏ ଦେଶୀ ଡଙ୍ଗାରେ ସମସ୍ତେ ଗୋଟିଏ ଥରେ ଚଢ଼ି ଯିବାକୁ ଚେଷ୍ଟା କରିଥିଲେ। ତେଣୁ ସେହି ଡଙ୍ଗା ବି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଏମିତି ସ୍ଥିତିରେ ପହଁରା ଜାଣିଥିବା ୩ଜଣ କୂୂଳକୁ ଚାଲି ଆସିଥିଲେ। ଘଟଣା ସଂପର୍କରେ ଜଣାଇବା ପରେ ଗତକାଲି ରାତିରୁୁ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ପୁଲିସ ଏବଂ ବ୍ଲକ ପ୍ରଶାସନ ପହଞ୍ଚି ନିଖୋଜଙ୍କ ସନ୍ଧାନ ଆରମ୍ଭ କରିଥିଲେ। ବହୁ ସମୟର ଉଦ୍ଧାର କାର୍ଯ୍ୟ ପରେ ୬ଜଣଙ୍କ ଶବ ବାହାର କରାଯାଇଥିଲା। ସେମାନେ ହେଲେ ପିଙ୍କି ଖରା (୪ବର୍ଷ), ପ୍ରବୀର ଖରା (୧ବର୍ଷ), ଲକ୍ଷ୍ମୀ ଖରା (୨୨ବର୍ଷ), ଗାୟତ୍ରୀ ବଡ଼ନାୟକ (୩ବର୍ଷ), ରାଣୀ ବଡ଼ନାୟକ (୬ବର୍ଷ), ସନସାନ ଖିଲ (୫ବର୍ଷ)। ଅନୁସୂୟା ବଡ଼ନାୟକ (୨୫ବର୍ଷ) ଏବଂ ଅନୁସାରାମ ଖିଲ (୧ବର୍ଷ) ନିଖୋଜ ରହିଥିବା ଚିତ୍ରକୋଣ୍ଡା ବିଡିଓ ଟି.ପଦ୍ମନାଭ ଦୋରା ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଅତିଶୀଘ୍ର ସେମାନଙ୍କୁ ସନ୍ଧାନ କରାଯିବ ବୋଲି ମଧ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/54h564d56h4564h56dhghdgggggggggggggggggggggggggggggggg.jpg)