ଦୁର୍ଘଟଣାରେ ପରିବାରର ୫ ମୃତ: ଆସିଥିଲେ ଅସ୍ଥି ବିସର୍ଜନ ପାଇଁ, ଫେରିଲେ ଶବ ହୋଇ

ପାଣିରେ ବୁଡ଼ିଗଲା ଗାଡ଼ି, ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ , ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା

ପୁରୀ: ମଙ୍ଗଳବାର ଭୋର ୫ଟା ବେଳେ ପୁରୀ ନୂଆ ଜଗନ୍ନାଥ ସଡ଼କର ଖଣ୍ଡିଘର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଲାଲକମା ଗାଁର ବୋଲି ଜଣାପଡ଼ିଛି। ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପାଣି ଭର୍ତ୍ତି ଥିବା ଏକ ଗହୀର ଭିତରକୁ ଖସି ପଡ଼ିବା ଫଳରେ ଶ୍ୱାସରୁଦ୍ଧ ହୋଇ ଗାଡ଼ିରେ ଥିବା ୧୧ ଜଣକଙ୍କ ମଧ୍ୟରୁ ଦୁଇଜଣ ଶିଶୁ ଓ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ି ଚାଳକ ଦିବାକର ପ୍ରଧାନ ଫେରାର ରହିଛନ୍ତି।

ସୂଚନା ମୁତାବକ, ଗତକାଲି ରାତି ୧୧ଟା ବେଳେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡା ଥାନା ଲାଲକମା ଗାଁର ୨୩ ଜଣ ଲୋକ ନିଜ ସଂପର୍କୀୟ ମୃତକ କେ.ମୁରଲୀଙ୍କ ଅସ୍ଥି ବିସର୍ଜନ ପାଇଁ ଦୁଇଟି ମ୍ୟାଜିକ୍‌ ଗାଡ଼ିରେ ପୁରୀ ବାହାରିଥିଲେ। ଆଗପଛ ହୋଇ ଦୁଇଟି ଯାକ ଗାଡି ଆସୁଥିବା ବେଳେ ନୂଆ ଜଗନ୍ନାଥ ସଡ଼କର ଖଣ୍ଡିଘର ଛକ ନିକଟରେ ମ୍ୟାଜିକ୍‌ ସୁପ୍ରିୟା ଗାଡ଼ି (ଓଡ଼ି୦୭ଭି-୩୦୪୫) ଚାଳକଙ୍କ ଆଖି ଲାଗି ଯାଇଥିଲା। ନିମିଷକେ ମଧ୍ୟରେ ଗାଡ଼ିଟି ରାସ୍ତା କଡ଼ ବିଲ ଭିତରକୁ ଓଲଟି ପଡ଼ିବା ଯୋଗୁ ଘଟଣାସ୍ଥଳରେ ସ୍ୱର୍ଗତ କେ.ମୁରଲୀଙ୍କ ଦୁଇ ପୁଅ କେ.କ୍ରିଷ୍ଣା (୫୦), କେ.ଜଗଦୀଶ (୪୦), ନାତି ଅଭିମନ୍ୟୁ (୭), ନାତୁଣୀ ଶୈଳା (୫) ଓ ସଂପର୍କୀୟ ହେମବତୀ (୪୦)ଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ଶବକୁ ସେମାନଙ୍କ ଗାଁକୁ ନିଆଯାଇଛି। ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ ପୁରୀ ଆସି ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି। ଲାଲକମା ଗାଁର କେ.ମୁରଲୀ (୭୦)ଙ୍କର ଆଜିକୁ ୧୨ ଦିନ ତଳେ ଦେହାନ୍ତ ହୋଇଥିଲା। ଗତକାଲି ସ୍ୱର୍ଗତ ମୁରଲୀଙ୍କର ଦ୍ୱାଦଶାହ କର୍ମ ଥିଲା। ୧୨ କର୍ମ ସାରି ପରିବାର ଲୋକେ ମୃତକଙ୍କ ଅସ୍ଥି ବିସର୍ଜନ ନିମନ୍ତେ ପୁରୀ ଆସିଥିଲେ। ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କରି ମହାପ୍ରଭୁଙ୍କ ଦର୍ଶନ ପରେ ସେମାନେ ଘରକୁ ଫେରିଥାନ୍ତେ। ଏଥିପାଇଁ ସେମାନେ ଗତକାଲି ରାତିରେ ଦୁଇଟି ମ୍ୟାଜିକ୍‌ ଗାଡ଼ିରେ ନିରାକାରପୁର-ରାମେଶ୍ୱର ନୂଆ ଜଗନ୍ନାଥ ସଡକ ଦେଇ ପୁରୀ ଆସୁଥିଲେ। ପ୍ରଥମ ଗାଡ଼ି (ଓଡି-୦୭-ଭି-୮୯୦୫) ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ପହଞ୍ଚିଥିଲା। ଆଉ ମାତ୍ର ଅଧ ଘଣ୍ଟା ପରେ ପଛ ଗାଡ଼ିଟି ପୁରୀରେ ପହଞ୍ଚିଥାନ୍ତା। ମାତ୍ର ପୁରୀଠାରୁ ମାତ୍ର ୧୫ କିମି ଦୂର ଖଣ୍ଡିଘର ଛକ ନିକଟରେ ପଛ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପଛ ଗାଡ଼ି ନ ଆସିବା ଦେଖି ଆଗରେ ଆସୁଥିବା ଗାଡ଼ିଟି ସନ୍ଦେହ କରି ପଛକୁ ଫେରିବା ପରେ ଏହି ଦୁର୍ଘଟଣା ସଂପର୍କରେ ଅବଗତ ହୋଇଥିଲେ।

ସମ୍ବନ୍ଧିତ ଖବର