ଦୁର୍ଘଟଣାରେ ୬ ଜୀବନ ଗଲା: ଟ୍ରକ୍‌କୁ ପିଟିଲା ଇନୋଭା, ୨ ମୃତ

ଦୁଇ ବାଇକ୍‌ ମୁହାଁମୁହିଁ, ୨ ମୃତ, ବୁଲେଟ୍‌-ବୋଲେରୋ ଧକ୍କା, ୨ ଯୁବକ ମୃତ

ରାୟଗଡ଼ା: ରାୟଗଡ଼ା-ବିଶାଖାପାଟଣା ରାଜପଥର ହାମସା ନିକଟରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଇନୋଭା ଚାଳକ ଟ୍ରକକୁ ପିଟିବା ଯୋଗୁଁ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ସହ ୪ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ଥାନା କିଡ଼ିଗାଁଓର ୮ଜଣ ସାଙ୍ଗ କେ. ଅଭିଷେକ, କେ. ଭେଙ୍କେଟେଶ, ଏମ୍. ଶ୍ରୀଧର, କେ. ଶେଷଗିରି, କେ. ସିଦ୍ଧୁ, କେ. ଭୀମାରାଜୁ, ଏଲ୍. ସୁମନ୍ତ କୁମାର, ଏମ୍. ରାମୁ ଆଜି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ଇନୋଭା (ଓଡି ୧୦ସି ୧୧୩୩) ଯୋଗେ ରାୟଗଡ଼ା ଅଭିମୁଖେ ଫେରୁଥିଲାବେଳେ ଏହି ସମୟରେ ହାମସା ନିକଟରେ ଇନୋଭା ଡ୍ରାଇଭର ନିୟନ୍ତ୍ରଣ ହରାଇ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକକୁ ସମ୍ମୁଖ ପଟୁ ଧକ୍କା ଦେଇଥିଲେ। ଇନୋଭାର ଗତି ଏତେ ଅଧିକ ରହିଥିଲା ଯେ ଘଟଣାସ୍ଥଳରେ ଇନୋଭାର ସମ୍ମୁଖ ଭାଗ ଚୂରମାର ହୋଇଯିବା ସହ ଡ୍ରାଇଭର ସମେତ ଅନ୍ୟ ଜଣେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଏଲ୍. ସୁମନ୍ତ କୁମାର, ଏମ୍. ରାମୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ।ସେହିପରି ଗୁରୁତର ହୋଇଥିବା କେ. ଅବିନାଶ, କେ. ଭେଙ୍କେଟେଶଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଶେଷଖାଲ ପୁଲିସ୍ ଇନୋଭା ଭିତରେ ଚାପି ହୋଇ ରହିଥିବା ଶବକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି।

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ମାର୍କାପାଲୀ ଛକ ନିକଟରେ ଆଜି ଅପରାହ୍ନ‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମାର୍କାପାଲୀ ଛକରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଦୁଇଟି ବାଇକ୍‌ର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିଥିଲା। ବାଇକଠାରୁ ଅଳ୍ପ ଦୂରରେ ୫ଜଣ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ଖବର ପାଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମାଛିଆମ୍ବ ଗ୍ରାମର ଚନ୍ଦ୍ର ଖିଲ (୨୨)ଙ୍କ ମୃତ୍ୟୁ ହୋଇ ସାରିଥିଲା। କକଲିଗୁଡ଼ା ଗାଁର ପ୍ରଶାନ୍ତ ଖରା (୧୮), ମାଛିଆମ୍ବ ଗ୍ରାମର ନରସିଂହ ଖରା, ଚନ୍ଦ୍ର କୁରାମି ଏବଂ ହରି ଖରାଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା। ୧୦୮ ଆମ୍ବୁଲାନ୍ସ ଡକାଇ ସମସ୍ତ ଆହତଙ୍କୁ ପୁଲିସ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତର ପଙ୍କାଳ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଓ ବୁଲେଟ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବୁଲେଟ୍‌ ଆରୋହୀ ଦୁଇଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ଲେମ୍ବୋ ଗ୍ରାମର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପୁଅ ମୁକେଶ (୨୬) ଓ ଢେଙ୍କାନାଳ ଥାନା ଭାପୁର ଗ୍ରାମର ସୁରେଶ ପଣ୍ଡାଙ୍କ ପୁଅ ସୁଜିତ (୩୭) ବୁଲେଟ୍‌ (ଓଡି୨୫ଏଚ୍‌୪୫୫୬)ରେ ନରସିଂହପୁର ଅଭିମୁଖେ ଯାଉଥିଲେ। ପଙ୍କାଳ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ (ଓଡି୦୫ଡି୨୬୩୭) ସହ ସେମାନଙ୍କୁ ମୁହାଁମୁହିଁ ଧକ୍କା ହୋଇଥିଲା। ବୁଲେଟ୍‌ରେ ବସିଥିବା ମୁକେଶ ଓ ସୁଜିତ ରାସ୍ତାର ଗୋଟିଏ ପାର୍ଶ୍ବକୁ ଛିଟିକି ପଡ଼ିଥିଲେ। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ଦୁଇ ଯୁବକଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର