ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ଶଙ୍କର ପଣ୍ଡିତ ଓ ଗଙ୍ଗାଧର ପାତ୍ର ନାମକ ଦୁଇ ଯୁବକ ଏକ ବାଇକ୍ ଯୋଗେ ବାଲିଆପାଳ-ବସ୍ତା ରାସ୍ତାରେ ବିନା ହେଲଟରେ ଆସୁଥିଲେ। ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣି ଛକ ନିକଟରେ ସେମାନଙ୍କ ବାଇକ୍ ଅପରପଟୁ ଆସୁଥିବା ଏକ ବାଇକ୍ ସହ ଧକ୍କା ହୋଇଥିଲା। ଏହାଫଳରେ ଉଭୟ ବାଇକ୍ ପ୍ରାୟ ୧୦୦ ମିଟର ଦୂରକୁ ଛିଟକି ପଡ଼ିଥିଲା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ତିନିଜଣ ହେଲେ ଶଙ୍କର ପଣ୍ଡିତ, ଗଙ୍ଗାଧର ପାତ୍ର ଓ ରାଜେଶ ବେହେରା। ଶଙ୍କର ଓ ଗଙ୍ଗାଧରଙ୍କ ଘର ସାନମଇଂଷାଡ଼ି ଗାଁରେ ହୋଇଥିବା ବେଳେ ରାଜେଶଙ୍କ ଘର ଆରୁଆ ଗ୍ରାମରେ ବୋଲି ଜଣାଯାଇଛି। ଏମାନଙ୍କ ବୟସ ପାଖାପାଖି ୩୦ ବର୍ଷ ବୋଲି କୁହାଯାଉଛି।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଶଙ୍କର ଓ ଗଙ୍ଗାଧର ଏକ ବାଇକ୍ରେ ସାନମଇଂଷାଡ଼ିରୁ ବାଲିଆପାଳ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ବିନା ହେଲଟରେ ଆସୁଥିବା ରାଜେଶଙ୍କ ବାଇକ୍ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏତେ ଜୋରରେ ଦୁଇଟି ବାଇକ୍ ପିଟି ହୋଇଥିଲେ ଯେ ଘଟଣାସ୍ଥଳରେ ରାଜେଶ ବେହେରାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଶଙ୍କର ଓ ଗଙ୍ଗାଧରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବାଲିଆପାଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।