ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ

ବସ୍ତା: ଏକ  ସଡ଼କ ଦୁର୍ଘଟଣାରେ ବସ୍ତା ବ୍ଲକର ଜନୈକ ସାମ୍ବାଦିକ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବସ୍ତା ବ୍ଲକର ଜଣାଶୁଣା ସାମ୍ବାଦିକ ରାମଚନ୍ଦ୍ର ଦେବ(୫୫) ଗତକାଲି ରାତି ପ୍ରାୟ ୮ଟା ବେଳେ ପତ୍ନୀଙ୍କ ସହ ବାଇକରେ ଘରକୁ ଫେରୁଥିବା ବେଳେ ବସ୍ତାର ବିଏସଏନଏଲ୍ ଅଫିସ୍ ନିକଟରେ ଶୋଇଥିବା ଏକ ଷଣ୍ଢ ଉପରେ ଚଢ଼ିଯାଇଥିଲେ। ଅନ୍ଧାର ହୋଇଥିବା ହେତୁ ସେ ଠିକ୍ ଭାବେ ଜାଣି ପାରି ନଥିଲେ। ଏହାଫଳରେ ରାମଚନ୍ଦ୍ର ଦେବଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଖାଲି ସେତିକି ନୁହେଁ ତାଙ୍କ ପତ୍ନୀ ଶାନ୍ତିଲତାଙ୍କ ହାତ ବି ଭାଙ୍ଗି ଯାଇଥିଲା।

ଏହାପରେ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ଡାକ୍ତର ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ରାମଚନ୍ଦ୍ର ଦେବଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ଏଠାରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର