ରାଉରକେଲା: କ୍ୟାନ୍ସରରେ ମୃତ୍ୟୁବରଣ କରିଥିବା ବଡ଼ଭାଇର ଶେଷ ଦର୍ଶନ ପାଇଁ ଆଉ ମାତ୍ର ୨୫ କିଲୋମିଟର୍ ବାକିଥିଲା। ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା। ବଡ଼ଭାଇ ଶବ ନିକଟରେ ପହଞ୍ଚିବା ପୂର୍ବରୁ ନିଜେ ପାଲଟିଯାଇଥିଲେ ଶବ। ସଡ଼କ ଦୁର୍ଘଟଣାରେ ସାନଭାଇ ଓ ତାଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ଜୀବନ ଯାଇଛି। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ବିରତୋଳା ନିକଟରେ ବଲେରୋ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ କଂକ୍ରିଟ କାନ୍ଥରେ ପିଟି ହେବାର ୪ ଜଣଙ୍କ ଜୀବନ ଯାଇଛି। ଗାଡ଼ିର ବେଗ ଏତେ ଥିଲା ଯେ, କାଚ ଭାଙ୍ଗି ଗାଡ଼ିର କିଛି ଯାତ୍ରୀ ପ୍ରାୟ ୨୦ ଫୁଟ ପୋଲତଳକୁ ଫୋପାଡ଼ିହୋଇ ପଡ଼ିଥିଲେ। ତପନ ଦାସମହପାତ୍ର (୬୦), ପତ୍ନୀ ସରୋଜିନୀ (୫୬), ଅନିତା ମହାନ୍ତି (୩୫), ଗଗନ କାମଲି (୭୦)ଙ୍କ ସମେତ ୬ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଅଣାଯାଇଥିଲା। ଅନୀତା ମହାପାତ୍ର, ସୁଚିତ୍ରା ଗିରି, ପ୍ରଦୀପ ମହାନ୍ତି ଓ ବଲେରୋ ଡ୍ରାଇଭର ପ୍ରଶାନ୍ତ ମଣ୍ଡଳଙ୍କୁ ଲହୁଣିପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆର୍‌ଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତପନ ଦାସମହାପାତ୍ର ଓ ତାଙ୍କ ପତ୍ନୀ ସରୋଜିନୀଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ଅନୀତା ଓ ଗଗନଙ୍କ ସମେତ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବେଦବ୍ୟାସସ୍ଥ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରଥମେ ଗଗନ ଓ ପରେ ଅନୀତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏବେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ସମସ୍ତଙ୍କ ଘର ବାଲେଶ୍ବର ଭୋଇରାଇ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଚାନ୍ଦିପୋଷ ପୁଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ବଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଚାଳକଙ୍କ ଆଖି ଲାଗଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏମିତି ଦୁଃଖଦ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି। ମୃତ ତପନ ଦାସମହାପାତ୍ର ପରିବାର ସହ ବାଲେଶ୍ବର ଭୋଇରାଇ ରହନ୍ତି। ତାଙ୍କ ବଡ଼ଭାଇ ରାଉରକେଲା ସେକ୍ଟର-୨୦ ଅଞ୍ଚଳରେ ରହନ୍ତି। ଗତ କିଛି ମାସ ହେବ ତାଙ୍କ ଭାଇ କ୍ୟାନସର ରୋଗରେ ପୀଡିତ ଥିଲେ। ଗୁରୁବାର ତାଙ୍କର ମୃତ୍ୟୁ ହୋଯାଇଥିଲା। ବଡଭାଇର ମୃତ୍ୟୁ ଖବର ପାଇ ତପନ, ତାଙ୍କ ପତ୍ନୀ ସରୋଜିନୀ ଓ ଅନ୍ୟ ୭ ଜଣ ସମ୍ପର୍କୀୟ ଏକ ବଲେରୋ (ଓଡି ୦୧ ୱାଇ ୦୮୩୫)ରେ ବାଲେଶ୍ବର ଭୋଗରାଇରୁ ବାହାରିଥିଲେ। ଭୋର ପ୍ରାୟ ୬ଟାରେ ବାରକୋଟରୁ ୧୪୩ ନଂ ଜାତୀୟ ରାଜପଥ ଦେଇ ରାଉରକେଲା ସେକ୍ଟର-୨୦କୁ ଆସୁଥିଲାବେଳେ ଚାନ୍ଦିପୋଷ ଥାନା ବି‌ରତୋଳା ନିକଟରେ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତି​ରେ ଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ସିମେଣ୍ଟ କାନ୍ଥରେ ପିଟି ହୋଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୁଲିସ୍‌ ଗାଡ଼ି ଭିତରେ ଓ ବାହାରେ ପଡ଼ିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଲହୁଣିପଡା ଓ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଥିଲେ।