ଗାଡି ଚେକିଂ ବେଳେ ପୁଲିସ୍ ଅଧିକାରୀଙ୍କୁ ଧକ୍କା ଦେଲା ବାଇକ୍‌, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ବାରିପଦା: ଆଜି ସନ୍ଧ୍ୟାରେ ସ୍ଥାନୀୟ ତକତପୁରରେ ନିଜ ଟିମ୍ ସହିତ ଗାଡି ଚେକିଂ କରୁଥିଲେ ବାରିପଦା ଟାଉନ ଥାନା ଏସ୍ଆଇ ଦୟାନିଧି ଦାସ। ଏହି ସମୟରେଏକ ମୋଟରସାଇକେଲ୍ ଆରୋହୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଶ୍ରୀ ଦାସ। ମାତ୍ର ଉକ୍ତ ମୋଟରସାଇକେଲ୍ ଆରୋହୀ ଅଟକିବା ପରିବର୍ତ୍ତେ ଦ୍ରୁତ ଗତିରେ ଆସି ପୁଲିସ୍ ଅଧିକାରୀ ଶ୍ରୀ ଦାସଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବାରିପଦା ପିଆରଏମ୍ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ମୋଟରସାଇକେଲ୍ ଚାଳକଙ୍କୁ ଗାଡି ସହିତ ଅଟକ ରଖାଯାଇଥିବା ଜଣାପଡ଼ିଛି।

ସେହିପରି ଗତ ନଭେମ୍ବର ୧୨ ତାରିଖରେ ଏଭଳି ଏକ ଘଟଣା ଘଟିଥିଲା। ସେଦିନ ସକାଳୁ  କେନ୍ଦୁଝର ଟାଉନ ଥାନା ପୋଖରୀପାଣି ଏନଏଚ ୨୦ ବାଇପାସ ରାସ୍ତାରେ ଏମଭିଆଇଙ୍କ ସମେତ ଆର୍ଟିଓ କର୍ମଚାରୀ ଗାଡି ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇ ଥିଲେ । ଆର୍ଟିଓ ଗାଡିର ଡ୍ରାଇଭର ରାସ୍ତା ଉପରକୁ ଯାଇ ଟ୍ରକକୁ ହାତ ମାରିଥିବା ବେଳେ ଗାଡିଟି ନ ଅଟକି ଡ୍ରାଇଭରଙ୍କ ଉପରେ ଚଢାଇ ଦ୍ରୁତ ଗତିରେ ପଳାଇଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର