ଗଛକୁ ପିଟିଲା କାର୍: ୪ ମୃତ, ଜଣେ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଣେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୫ ଜଣ ଯୁବକ କାରରେ ଉମରକୋଟରୁ ନବରଙ୍ଗପୁରକୁ ଯାଉଥିଲେ। ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଏହି ସମୟରେ ଏକ ଗଛକୁ ସେହି କାରଟି ପିଟିଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ କାରରେ ଥିବା  ୪ ଯୁବକଙ୍କ ପ୍ରାଣହାନି ଘଟିଥିଲା। ଆଉ ଜଣେ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ  ଗୁରୁତର ଯୁବକଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ନବରଙ୍ଗପୁରରୁ ଏକ ହୁଣ୍ଡାଇ କାର ( ଓଡ଼ି ୧୦ କେ ୭୭୮୬) ଯୋଗେ ୫ ଜଣ ଯୁବକ ନବରଙ୍ଗପୁରର ଶେଖ୍ ସଦ୍ଦାମ୍ , ରବିନ ସନ୍ ହିଆଲ୍, ସବନ୍ ଵେନିଆ ଓ ପାପଡ଼ାହାଣ୍ଡିର ଶକିବ ଖାନ ଓ ପାପଡ଼ାହାଣ୍ଡି ପ୍ରଧାନି ଗୁଡ଼ାର ଅନସର ଖାନ ଉମରକୋଟକୁ ତାଙ୍କ ସାଥୀ ରବିନ୍ ସନ ହିଆଲକୁ ଛାଡ଼ିବାକୁ ଯାଉଥିଲେ। ରବିନ ସନ୍ ଉମରକୋଟର ଏକ ଫାଇନାନ୍ସ କମ୍ପାନିରେ କାର୍ଯ୍ୟ କରୁଥିଲେ।

ଡ଼ାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ନିକଟ ଏକ ବୁଲାଣିରେ କାର ଭାରସାମ୍ୟ ହରାଇ ରାଜ୍ୟ ରାଜପଥ ରାସ୍ତା ବାମ ପଟ ଏକ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ଡ୍ରାଇଭର ଶେଖ୍ ସଦ୍ଦାମ (୨୫), ରବିନ ସନ୍ ହିଆଲ (୨୬) ଓ ସବନ ବେନିଆ (୨୬)ଙ୍କ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ପାପଡ଼ାହାଣ୍ଡି ପ୍ରଧାନିଗୁଡ଼ାର ଅନସର୍ ଖାନ( ୨୪) ଓ ପାପଡ଼ାହାଣ୍ଡିର ଶକିବ ଖାନ (୨୪)ଙ୍କୁ ଉଦ୍ଧାର କରାଯାଇ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନସାର ଖାନର ମୃତ୍ୟୁ ଘଟିଥିଲା। ୫ ଜଣ ଯୁବକଙ୍କ ମଧ୍ୟରୁ କେବଳ ଜଣେ ପାପଡ଼ାହାଣ୍ଡିର ଶକିବ ଖାନ ଏବେ ଗୁରୁତର ଅବସ୍ଥାରେ କୋରାପୁଟରେ ଚିକିତ୍ସିତ ହେଉଛନ୍ତି। ଆଜି ବଡି ଭୋର୍ ରୁ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକମାନଙ୍କୁ ଦେଖିବାକୁ ଡ଼ାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିଡ ଜମିଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର