ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ୍, ହେଲପର୍ ଗୁରୁତର

ଢେଙ୍କାନାଳ: ଜଣେ ରୋଗୀଙ୍କୁ ଧରି ଡାକ୍ତରଖାନାକୁ ନେଉଥିବା ବେଳେ ପୁଣି ଏକ ଆମ୍ବୁଲାନ୍ସ୍ ଦୁର୍ଘଟଣାଗ୍ରସ୍ତ ହେବା ଖବର ଢେଙ୍କାନାଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ-କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ଏକ ୧୦୮ ଆମ୍ବୁଲାନ୍ସ୍ ଯୋରନ୍ଦା ମହିମାଗାଦିରୁ ଜଣେ ରୋଗୀଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲା। ମାତ୍ର ଢେଙ୍କାନାଳ ସହରର ଅନତି ଦୂରରେ ଥିବା ଭଗବାନପୁର ନିକଟରେ ଗାଡ଼ିର ଷ୍ଟିଅରିଙ୍ଗ୍ ଫେଲ୍‌ ହୋଇ ଯାଇଥିଲା। ଏହା ଫଳରେ ୧୦୮ ଆମ୍ବୁଲାନ୍ସ୍ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଉକ୍ତ ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟଟି ଦୁଇ ଖଣ୍ଡ ହୋଇଯାଇଥିଲା। ଏଥିରେ ଗାଡ଼ିଚାଳକ ଓ ରୋଗୀଙ୍କର କିଛି କ୍ଷତି ଘଟି ନ ଥିଲେ ବି ହେଲପର୍ ଗୁରୁତରଭାବେ ଆହତ ହୋଇଛନ୍ତି।

ଏହାପରେ ସ୍ଥାନୀୟ ଲୋକେ ଉକ୍ତ ରୋଗୀ ଏବଂ ହେଲପରଙ୍କୁ ଅନ୍ୟ ଏକ ଗାଡ଼ିରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉକ୍ତ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ୍ ଏବେ ବି ଘଟଣାସ୍ଥଳରେ ପଡ଼ିରହିଛି। ଏଣେ ଢେଙ୍କାନାଳ ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଡାହାଣୀଗଢ଼ିଆ ନିକଟରେ ଆମ୍ବୁଲାନ୍ସକୁ ପଛରୁ ଅନ୍ୟ ଏକ ଆମ୍ବୁଲାନ୍ସ୍ ପିଟିବା ଫଳରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ରୋଗୀଙ୍କ ସହ ୪ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର