ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଦୁଇ ଗୁରୁତର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ଵର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ବାଣିଦା ଛକ ନିକଟରେ ଗତକାଲି ମଧ୍ୟରାତ୍ରିରେ ବାହାବଳପୁରରୁ ଦୀଘାକୁ ଯାଉଥିବା ଏକ ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ ହେବାରୁ ପିକଅପ ଚାଳକର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି।

ବିବରଣୀରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଆନୁମାନିକ ୪ ଲକ୍ଷ ଟଙ୍କାର ମୂଲ୍ୟର ମାଛ ବୋଝେଇ କରି ଏକ ପିକଅପ ଦୀଘା ଅଭିମୁଖେ ବାହାରିଥିଲା। ତେବେ ରାତି ପ୍ରାୟ ୧୨ଟା ପାଖାପାଖି ସମୟରେ ବାଣିଦା ଛକଠାରୁ ସାମାନ୍ୟ ଆଗକୁ ଏହି ପିକଅପଟି ଭାରସାମ୍ୟ ହରାଇ ରାସ୍ତା ତଳ ନୟନଜୋରିକୁ ଚାଲିଯିବା ସହ ଏକ ଗଛରେ ପିଟି ହୋଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ନାମ୍ପୋ ଫାଣ୍ଡିକୁ ଖବର ଦେଇଥିଲେ। ନାମ୍ପୋ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପିକଅପର ଚାଳକ ବାଲେଶ୍ଵର ସଦର ବ୍ଲକ ଦୁବଲାଗଡି ଗାଁର ନିତାଇ ଚରଣ ଜେନାଙ୍କ ପୁଅ ସୁନୀଲ(୩୨)ଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସେହିପରି ସେହି ଦୁବଲାଗଡିର ସ୍ବର୍ଗତ ଅବନ୍ତି ଦାସଙ୍କ ପୁତ୍ର କମଳ(୩୫) ଓ ବାଲିଆପାଳ ଅଞ୍ଚଳର ହରିଶ୍ଚନ୍ଦ୍ର ହାଜିରା (୨୧) ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନିଆଯାଇଥିଲା। କମଳ ଏବେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ହରିଶ୍ଚନ୍ଦ୍ର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସମ୍ବନ୍ଧିତ ଖବର