ଜୟପୁର: ଗତକାଲି ରାତି ସାଢ଼େ ୧୦ଟା ବେଳେ ଜୟପୁର ବ୍ଲକ ଅର୍ନ୍ତଗତ ଗାଗନାପୁର ନିକଟସ୍ଥ ଡୁମୁରୀଗୁଡ଼ା ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବା ପରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ବଳକା ୨ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁରରେ ଚିକିତ୍ସାଧୀନ ରହିଛନ୍ତି।

Advertisment

ସୂଚନା ଅନୁଯାୟୀ, ଗତକାଲି ଧନପୁରଠାରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ଦେଖିବାକୁ ଜୟପୁର ବ୍ଲକର ବିଭିନ୍ନ ଗାଁରୁ ଲୋକେ ଯିବା ଆସିବା ଲାଗି ରହିଥିଲା। ରାତି ସାଢ଼େ ୧୦ଟା ବେଳେ ଗୋଟିଏ ବାଇକରେ ୪ଜଣ ଓ ଅନ୍ୟ ବାଇକରେ ୩ଜଣ ଏଭଳି ବସିଥିଲେ। ଗୋଟିଏ ବାଇକ ଧନପୁରରୁ ଜୟପୁର ପଟକୁ ଆସୁଥିବା ବେଳେ ଅନ୍ୟ ବାଇକଟି ଯାଉଥିଲା। ଡୁମୁରୀଗୁଡ଼ା ନିକଟରେ ଅନ୍ଧାର ଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ହେବା ପରେ ୭ଜଣ ବାଇକରୁ ଛିଟକି ପଡ଼ିଥିଲେ। ସମସ୍ତଙ୍କୁ ଗୁରୁତର ମାଡ଼ ବାଜିଥିଲା। ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ଗାଗନାପୁର ପାଣ୍ଡି ଅଧିକାରୀ ସବଇନିସପେକ୍ଟର ରାଜକିଶୋର ବାରିକ, ଏଏସଆଇ ସୁଶାନ୍ତ ଦଳପତି ସଦଳବଳ ସହ ଧନପୁର ବାଲିଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଉଥିଲେ। ରାସ୍ତାରେ ଛିନଛତ୍ର ହୋଇ ଦୁର୍ଘଟଣା ପରେ ପଡ଼ିଥିବା ସମସ୍ତଙ୍କୁ ପୁଲିସ ଗାଡ଼ିରେ ଉଦ୍ଧାର କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଥିରେ ଜୟପୁରର ଆଶିଷ କୁମାର ପାଣିଗ୍ରାହୀ ଓ ଅନ୍ୟ ସହଯୋଗୀମାନେ ଗୁରୁତରମାନଙ୍କୁ ଉଠାଇବାରେ ପୁଲିସକୁ ସହାୟତା କରିଥିବା କହିଛନ୍ତି ସଦର ଥାନା ଅଧିକାରୀ। ସମସ୍ତଙ୍କୁ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତରଖାନା ପହଚିଂବା ବେଳକୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଉପସ୍ଥିତ ଥିବା ଡାକ୍ତର କହିଥିଲେ।

ମୃତକମାନେ ହେଲେ ଧନପୁରର ଶ୍ରୀଧର ହରିଜନଙ୍କ ୨୪ ବର୍ଷର ପୁଅ ପଦ୍ମନ ହରିଜନ, ଜୟନ୍ତଗିରିର ମାଧବ ହରିଜନଙ୍କ ୨୨ବର୍ଷର ପୁଅ ଗୋପାଳ ହରିଜନ, ସାନମଣ୍ଡାପଦର(ଆମ୍ବାଗୁଡା)ର ଧନଂଜୟ ହରିଜନ ବୋଲି ସଦରଥାନା ଅଧିକାରୀ କହିଛନ୍ତି। ଅନ୍ୟ ୪ଗୁରୁତରଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଅର୍ଦ୍ଧରାତ୍ରରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ସଦର ଥାନା ଅଧିକାରୀ। ତିନି ଜଣଙ୍କର ଶବ ଆଜି ବ୍ୟବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ। ତେବେ ଦୁର୍ଘଟଣା କିଭଳି ଘଟିଲା, ତାର ତଦନ୍ତ କରାଯିବ ବୋଲି କହିଛନ୍ତି ସଦର ଥାନା ଅଧିକାରୀ। ଡିଏଚଏଚରେ ଚିକିତ୍ସାଧୀନ ଥିବା ଦୁଇ ଜଣଙ୍କୁ ପଚରାଉଚରା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ। ଏବେ ଡିଏଚଏଚରେ ୩ ମୃତକଙ୍କ ପରିବାରବର୍ଗ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିବା ସହ ଶୋକର ଛାୟା‌ ଖେଳି ଯାଇଛି।  ୧୦୮ଆମ୍ବୁଲାନସକୁ ଫୋନ କରାଯାଇଥିଲା। ତେବେ ଆମ୍ବୁଲାନସ ପହଞ୍ଚିବାକୁ ଅପେକ୍ଷା ନ କରି ସମସ୍ତଙ୍କୁ ପୁଲିସ ଗାଡ଼ିରେ ତୁରନ୍ତ ନେବା ଫଳରେ ବଳକା ୪ଜଣଙ୍କର ଜୀବନ ବଞ୍ଚିଯାଇଛି। ପୁଲିସ ଓ ଜୟପୁରର ଯୁବବର୍ଗଙ୍କର ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି।