ରାଜଗାଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ଆରୋହୀଙ୍କ  ମୃତ୍ୟୁ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ନିକଟରେ ଥିବା ବିଜୁ ଏକ୍ସପ୍ରେସ ୱେରେ ଗତକାଲି ରାତି ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ପ୍ରାପ୍ତ ସୂଚନା ମୁତାବକ ଗତକାଲି ରାତି ୧୦ଟା ସମୟରେ ଏକ ବୁଲେଟ ମୋଟର ସାଇକେଲରେ ରାଉରକେଲାର ଦୁଇ ଯୁବ ବ୍ୟବସାୟୀ ରାଜଗାଙ୍ଗପୁରରୁ ରାଉରକେଲା ପଟକୁ ଯାଉଥିବା ସମୟରେ  ଝଗରପୁର ନିକଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇ ରାଜଗାଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବୁଲେଟ ଆରୋହୀଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣ କରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା ସେଠାରେ ତାଙ୍କର ମଧ୍ୟ  ମୃତ୍ୟୁ ହୋଇଥିଲା ।

image source-sisat

ଦୁର୍ଘଟଣା କେମିତି ହେଲା ସେ ନେଇ ସବିଶେଷ ତଥ୍ୟ  ମିଳିପାରି ନ ଥିବା ବେଳେ  ବୁଲେଟକୁ ଦେଖିଲେ ଜଣାପଡ଼ୁଛି ରାତିରେ ଝଡ଼ ବର୍ଷା  ହେଉଥିବାରୁ  ସାମନାରେ ଯାଉଥିବା କୌଣସି ଭାରିଯାନକୁ  ପଛ ପଟେ ଧକ୍କା ଦେଇଥିବା ନେଇ ସନ୍ଦେହ କରାଯାଉଛି । ମୃତକ ଦ୍ୱୟ ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ଗୌତମ କୁମାର ସାହୁ ଏବଂ ବିକି ସାହୁ ବୋଲି  ଜଣାପଡ଼ିଛି ।

ସମ୍ବନ୍ଧିତ ଖବର