ସାଇକେଲରେ କଲେଜକୁ ଆସୁଥିବା ବେଳେ ଟ୍ରକ୍ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାରୁ ଖଡ଼ିଆଳକୁ ଯାଉଥିବା ରାଜ୍ୟ ରାଜପଥରେ ଥିବା ମୋହରା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ସାଇକେଲରେ ଭାଲୁମୁଣ୍ଡା କଲେଜକୁ ଆସୁଥିବା ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ର ବଳରାମ ମାଝୀଙ୍କର ମୃତ୍ୟୁ ହୋଇଛି ।

ଅନ୍ୟ ଜଣେ ବାଇକ ଆରୋହୀ ମଧ୍ୟ ଟ୍ରକ୍ ଧକ୍କାରେ ଗୁରୁତର ଅବସ୍ଥାରେ ଖଡ଼ିଆଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଜଣକ ହେଲେ ଧୁବଳେଶ୍ୱର କଟା । ତେବେ କଲେଜ ଛାତ୍ରଙ୍କ ମୃତ୍ୟୁ ଖବର ଆସିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି ।

ଭାଲୁମୁଣ୍ଡା କଲେଜର ଶତାଧିକ ଛାତ୍ରଛାତ୍ରୀ ମୃତକ ପରିବାରକୁ କ୍ଷତି ପୂରଣ ଦାବି ସହ କଲେଜ ଯିବା ଆସିବା ସମୟରେ ଭାରିଯାନ ଯିବା ଆସିବା ବନ୍ଦ କରିବାକୁ ଦାବି କରିଛନ୍ତି । ଆନ୍ଦୋଳନ ସ୍ଥଳରେ ଖଡ଼ିଆଳ ପୁଲିସ୍, ଦମକଳ ବାହିନୀ ପହଞ୍ଚିଛି । ବଙ୍ଗୋମୁଣ୍ଡା ତହସିଲଦାର୍ ଏବଂ ବଙ୍ଗୋମୁଣ୍ଡା ପୁଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ କଲେଜ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର