କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁରଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗଛରେ ବୋଲେରୋ ପିଟିହେବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ, ୪ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୫୦ ମିନିଟ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି। ଆୟେବା ପଞ୍ଚାୟତ ନରଣପୁରରେ ଡ୍ରାମା ରିହାର୍ସଲ୍ ସାରବା ପରେ ମହିଳା କଳାକାରମାନଙ୍କୁ ଏକ ବୋଲେରୋ କେନ୍ଦ୍ରାପଡ଼ା ବସଷ୍ଟାଣ୍ଡକୁ ଚାଳକ ନେଇ ଛାଡ଼ିବାକୁ ଯାଉଥିଲେ। ହେଲେ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଗଛରେ ବୋଲେରୋ ପିଟି ହୋଇଥିଲା। ଖାଲି ସେତିକି ନୁହେଁ, ବୋଲେରୋଟି ଗଣ୍ଡାଖିଆ କେନାଲକୁ ମଧ୍ୟ ଖସିପଡ଼ିଥିଲା। ଏହିଦୁର୍ଘଟଣାରେ ୩ ମହିଳା କଳାକାରଙ୍କର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ।
ବୋଲେରୋରେ ୫ଜଣ କଳାକାର ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତରମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାର ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। କିନ୍ତୁ ସେମାନେ କଟକ ଜିଲ୍ଲା ନେମାଳ ଓ ଭଦ୍ରକ ଅଞ୍ଚଳର ପେଶାଦାର ମଞ୍ଚ କଳାକାର ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/k.jpeg)