ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ୧୬ ନମ୍ବର୍ ଜାତୀୟ ରାଜପଥର ବଡ଼ଘାଟିଠାରେ ଆଜି ବଡ଼ି ଭୋରରୁ ଏକ ବାଇକ୍ ଉପରକୁ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପୁରୁଷୋତ୍ତମପୁର ବ୍ଲକ୍ ସମା ବଜରଙ୍ଗସାହିର ବାବୁଲା ପ୍ରଧାନ(୪୫) ଓ ତାଙ୍କ ପୁଅ ରାକେଶ ପ୍ରଧାନ(୨୦)। ଉଭୟ ବାପା ପୁଅ କାମ କରିବା ପାଇଁ ଭୋରରୁ ବାଇକ୍ ଯୋଗେ ଭେଜିପୁଟ ଯାଉଥିବା ବେଳେ ବଡ଼ଘାଟିଠାରେ ଉକ୍ତ ମାଲ୍ ବୋଝେଇ ଟ୍ରକଟି ତାଙ୍କ ଉପରକୁ ଓଲଟି ପଡ଼ିଥିଲା। ତେବେ ପ୍ରବଳ କୁହୁଡ଼ି ପାଇଁ ସେ ଟ୍ରକ୍ ତଳେ ଚାପି ହୋଇଯାଇଥିବା କେହି ଜାଣିପାରିନଥିଲେ।
ଖବରପାଇ ପୁଲିସ୍ ସେଠାରେ ପହଞ୍ଚିଥିଲେ ହେଁ, ଗାଡ଼ିଟିକୁ ଛିଡ଼ା କରାଇବା ପାଇଁ ତତ୍ପରତା ଦେଖାଇନଥିଲେ। ପରେ ଟ୍ରକରେ ମାଲ୍ ନେଉଥିବା ବ୍ୟବସାୟୀ କିଛି ଶ୍ରମକଙ୍କୁ ଲଗାଇ ମାଲ୍ ଗୁଡ଼ିକୁ ସାଇଡ୍ କରିଥିଲେ। ଏହି ସମୟରେ ଟ୍ରକ ତଳେ ଏକ ବାଇକ୍ ଚାପି ହୋଇଥିବା ଜଣାପଡ଼ିଥିଲା। ପରେ ପୁଲିସ ତୁରନ୍ତ ଟ୍ରକଟିକୁ ଉଠାଇବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ସେତେବେଳକୁ ବାପାପୁଅଙ୍କର ମୃତ୍ୟୁ ହୋଇସାରିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।