ଟ୍ରକକୁ ପଛରୁ ପିଟିଲା ପିକଅପ ଭ୍ୟାନ: ଦୁଇଜଣଙ୍କର ମୃତ୍ୟୁ

ଖୋର୍ଦ୍ଧା/ବୋଲଗଡ଼: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ରାଜଧାନୀ ଉପକଣ୍ଠ ପିତାପଲି ଛକ ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ଦୁଇଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାଯାଇଛି। ପିକଅପ ଭ୍ୟାନ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପିତାପଲି ଛକର ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପିକଅପ ଭ୍ୟାନରେ ଥିବା ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ  ପୁଲିସ ଉଭୟ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।

ଏଣେ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ନିକଟରେ ଏକ ସେନା ବାହିନୀ(ଆଇଟିବିପି)ର ଗାଡ଼ି ଓଲଟିଥିଲା । ଏହି ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୬ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ବୋଲଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗାଡ଼ିଟି ଛତିଶଗଡ଼ ଅଭିମୁଖେ ଯାଉଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର