ଟ୍ରକ୍-ପିକ୍ ଅପ୍ ମୁହାଁମୁହିଁ ଧକ୍କା:୨ ମୃତ, ୫ ଗୁରୁତର

କ୍ଷତିପୂରଣ ଦାବିରେ ଉତ୍ତେଜିତ ଜନତାଙ୍କ ରାସ୍ତା ଅବରୋଧ

ଲେଫ୍ରିପଡା: ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ଥାନା ଅନ୍ତର୍ଗତ ସର୍ଗିପାଲି-ଏନଟିପିସି ରାସ୍ତା ବାଉଁଶପଡାଠାରେ ରବିବାର ରାତି ପ୍ରାୟ ଆଠଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏନଟିପିସି ପଟକୁ ଯାଉଥିବା ଏକ ଟ୍ରକ୍ ଅପରପଟୁ ଆସୁଥିବା ଏକ ମ୍ୟାଜିକ୍ ପିକ୍ ଅପକୁ ସାମ୍ନାସାମ୍ନି ଧକ୍କା ଦେବାରୁ ପିକ ଅପରେ ଥିବା ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୁର୍ଲା ଭିମସାର ଡାକ୍ତରଖାନାରେ ମୃତ୍ୟୁ ହୋଇଛି।


ସୂଚନାରୁ ପ୍ରକାଶ ଯେ, ଗତକାଲି ନାକଡିହି ଗ୍ରାମର ବ୍ୟବସାୟୀ ମାନେ ଅଉଁଲାବାହାଲ ହାଟ ସାରି ରାତିରେ ଓଡି-୧୪ସି-୧୨୪୧ ମ୍ୟାଜିକ୍ ପିକ ଅପ୍ ଗାଡ଼ିରେ ଘରକୁ ଫେରୁଥିବା ବେଳେ ସର୍ଗିପାଲି-ଏନଟିପିସି ରାସ୍ତା ବାଉଁଶପଡାଠାରେ ଏନଟିପିସି ପଟକୁ ଯାଉଥିବା ଏକ ଖାଲି ଟ୍ରକ୍ ନଂ ଓଆର୍ ୧୬-ଡି-୫୩୭୯ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଏଥିରେ ଘଟଣାସ୍ଥଳରେ ସୁରେନ ମେହେର (୫୦)ଙ୍କ ମୃତ୍ୟୁ ହୋଇଥିଲା। ନନ୍ଦଲାଲ ମେହେର (୬୦), ଆଶିଷ ମେହେର (୧୯),ସୁରେଶ ମେହେର(୪୫), ଯୁଗଳ ମେହେର(୩୬), ଅଯୋଧ୍ୟା ମେହେର (୪୬) ଏବଂ ମୁକ୍ତେଶ୍ଵର ମେହେର (୪୬) ଗୁରୁତର ଆହତ ଥିବା ବେଳେ ସମସ୍ତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିଲା। ତନ୍ମଧ୍ୟରୁ ନନ୍ଦଲାଲ ମେହେରଙ୍କ ଅବସ୍ଥା ସାଂଘାତିକ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପୁଲିସ ଘଟଣାସ୍ଥଳରୁ ମୃତ ନରେନର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ପିକ୍ ଅପକୁ ଜବତ କରିଛି। ଅପରପକ୍ଷରେ ଆଜି ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ଦାବିରେ ବଡବଙ୍ଗା ପଞ୍ଚାୟତ ମହିଳା ମହାସଂଘ ସଭାନେତ୍ରୀ ସୁକାନ୍ତି ଭିତ୍ରିଆ ଓ ଜୟନ୍ତୀ ପଟେଲ ପ୍ରମୁଖଙ୍କ ନେତୃତ୍ବରେ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଲେଫ୍ରିପଡା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ଏବଂ ସର୍ଗିପାଲି ଫାଣ୍ଡି ଇନଚାର୍ଜ ପି.ପି. ଜେନା ଓ ଲେଫ୍ରିପଡା ତହସିଲଦାର ସାରିକାରାଣୀ ଧାମେଲ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧିତ ଖବର