ମା’ ତାରିଣୀ ଷ୍ଟିଲ୍‌ ପ୍ଲାଣ୍ଟରେ ଦୁର୍ଘଟଣା: କ୍ରସର୍‌ ବେଲ୍‌ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଖିଚିଂ: ଶୁକୃଳିସ୍ଥିତ ତେରଣ୍ଟି ନିକଟରେ ଥିବା ମା’ତାରିଣୀ ଷ୍ଟିଲ୍‌ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ଯଶିପୁର କପଣ୍ଡ ଗ୍ରାମର ଜଗନ୍ନାଥ ସେଠୀଙ୍କ ପୁଅ ଗିରିଶଙ୍କର ସେଠୀ (୨୭)। ଗିରିଶଙ୍କରଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନଥିବାବେଳେ କମ୍ପାନି କର୍ତ୍ତୃପକ୍ଷଙ୍କୁ ସଂପୂର୍ଣ୍ଣ ଦାୟୀ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଦିନ ୨ଟା ସମୟରେ ଗିରିଶଙ୍କର ପ୍ଲାଣ୍ଟରେ ଥିବା କ୍ରସର ବେଲ୍ଟରେ ଚାପି ହୋଇ ଯାଇଥିଲେ। ଉପସ୍ଥିତ ଅନ୍ୟ ଶ୍ରମିକଙ୍କଠାରୁ ଯାହା ଜଣାଯାଇଛି, ଗିରିଶଙ୍କର ମରାମତି କାମ କରୁଥିବା ଅବସ୍ଥାରେ କ୍ରସରଟି ବନ୍ଦ କରାଯାଇଥିଲା। କେହି ଜଣେ ଶ୍ରମିକ କ୍ରସର ଚାଲୁ କରିଦେବା ଫଳରେ କ୍ରସର ବେଲ୍ଟରେ ଗିରିଶଙ୍କରଙ୍କ ମୁଣ୍ଡ ଚାପି ହୋଇ ଶରୀର ଖଣ୍ଡବିଖଣ୍ଡ ହୋଇଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ଲାଣ୍ଟ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ। ଆମ୍ବୁଲାନ୍ସ ନ ଡାକି କମ୍ପାନି ଗାଡ଼ିରେ ମୃତଦେହକୁ କଟକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ୪ ଘଣ୍ଟା ପୂର୍ବରୁ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ।

ତେବେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଶ୍ରମିକଜଣକ ପ୍ଲାଣ୍ଟ ଭିତରେ ଜୀବିତ ଥିଲେ, ତେବେ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ କାହିଁକି ନିଆଗଲାନାହିଁ? ପ୍ଲାଣ୍ଟ ପକ୍ଷରୁ ପରିବାର ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଥିବା ସୂଚନା ଦିଆଯାଇଥିଲା। ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କୁ ପ୍ଲାଣ୍ଟ ଭିତରକୁ ଛଡ଼ା ଯାଇନଥିଲା। ଫଳରେ ପରିବାର ଗେଟ୍‌ ସମ୍ମୁଖରେ କନ୍ଦାକଟା କରିବାରୁ ସେଠାରେ ଭିଡ଼ ଜମିଥିଲା। ଲୋକେ ଜାଣିବା ପରେ ସେଠାରେ ଉତ୍ତେଜନା ଦେଖା ଯାଇଥିଲା।

ଶେଷରେ ପରିବାରବର୍ଗଙ୍କ ସହିତ ସ୍ଥାନୀୟ ବାସିନ୍ଦା ଜୋରଜବରଦସ୍ତ ଭିତରକୁ ପଶି ହୋହାଲ୍ଲା କରିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ପରିବାରବର୍ଗଙ୍କୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇନଥିଲା। ରାତି ୧୧ଟା ପରେ ଶ୍ରମିକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଏବଂ କଟକରେ ଚିକିତ୍ସିତ ଥିବା  ପ୍ଲାଣ୍ଟ ପକ୍ଷରୁ କୁହାଯାଇଥିଲା। ରାତି ଗୋଟାଏ ପରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସଂପର୍କରେ ସୂଚନା ଦିଆଯାଇଥିଲା। ଖବର ପାଇ ରରୁଁଆ, ଯଶିପୁର, କରଞ୍ଜିଆ ଥାନାରୁ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ମୃତ ଶ୍ରମିକ ଗିରିଶଙ୍କର ୭ ମାସ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କ ସ୍ତ୍ରୀ  ଏବେ ଆସନ୍ନପ୍ରସବା ଅଛନ୍ତି। ପ୍ଲାଣ୍ଟ କର୍ତ୍ତୃପକ୍ଷ ତରଫରୁ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦିଆଯାଇଥିବା ଜଣାଯାଇଛି। ତେବେ ପରିବାର ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର