ଚିଲିକା: ଆଜି ସକାଳ ୬ ଟାରେ ନାଚୁଣୀ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ଉପରେ ହୋଇଥିବା ଏକ ଅଟୋ ଦୁର୍ଘଟଣାରେ ରାମକୃଷ୍ଣ ବିଶୋଇ(୭୦ ବର୍ଷ)  ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କର ବୋହୂ ମଂଜୁଲତା ବିଶୋଇ(୪୫ ବର୍ଷ)ଙ୍କର ଅବସ୍ଥା ଗୁରୁତର ଅଛି।

Advertisment

ସୂଚନାରୁ ପ୍ରକାଶ ବାଣପୁର ବ୍ଲକ, ଆୟତପୁର ପଞ୍ଚାୟତ ପାତ୍ରପୁର ଗ୍ରାମର ରାମକୃଷ୍ଣ ବିଶୋଇ ଏକ ଅଟୋ (ଓଡି୦୨ଏଏଚ୬୨୯୩) ଭଡାକରି ବୋହୂ ଓ ଛୋଟ ଛୋଟ ନାତିନାତୁଣୀଙ୍କ ସହ ନିଜ ଝିଅ ଘର ନୟାଗଡ଼ର ଡିମିସରକୁ ସାବିତ୍ରୀ ଯୋଗାଡ଼ ଧରି ଯାଉଥିଲେ। ହେଲେ ବିଧିର ବିଡମ୍ବନା, ବୃଦ୍ଧ ବାପା ଜଣକ  ଝିଅକୁ ଦେଖିବା ଓ ତାକୁ ସାବିତ୍ରୀ ଯୋଗାଡ଼ ଦେବାର ଭାଗ୍ୟରେ ନଥିଲା।

publive-image

ଆଜି ସକାଳ ପ୍ରାୟ ୬ଟାରେ ଉକ୍ତ ଅଟୋଟି  ନାଚୁଣୀ ବାଇପାସର ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଭରଟେକ ଗାଡ଼ିକୁ ଦେଖି ଛାନିଆରେ ହଡବଡେଇଯାଇଥିଲା। ଫଳରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ପାଖରେ ଥିବା ଏନଏଚ୧୬ର ଡିଭାଇଡର ସିମେଣ୍ଟ କଂକ୍ରିଟ ବାଡାରେ  ପିଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଅଟୋରେ ବସିଥିବା ଯାତ୍ରୀ ରାମକୃଷ୍ଣ ଓ ତାଙ୍କର ବୋହୂ ମଂଜୁଲତାଙ୍କର ଅବସ୍ଥା ଗୁରୁତର ହେବା ସହ ଅନ୍ୟମାନେ ସାମାନ୍ୟ  ଆହତ ହୋଇଥିଲେ। ନାଚୁଣୀ ପୋଲିସ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଟାଙ୍ଗୀ ମେଡିକାଲରେ ଗୁରୁତର ରାମକୃଷ୍ଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଥିବା ତାଙ୍କ ବୋହୂଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବା ପ୍ରକାଶ। ସୌଭାଗ୍ୟକୁ ଅଟୋରେ ବସିଥିବା ଡ୍ରାଇଭର ଓ ଯାତ୍ରୀ ଅନ୍ୟଜଣେ ନାବାଳିକାଙ୍କ ସମେତ ଦୁଇ କୁନି ପିଲାଙ୍କର କିଛି ହୋଇନାହିଁ । ନାଚୁଣୀ ପୋଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଏହାର ଡ୍ରାଇଭରକୁ ଫାଣ୍ଡିରେ ଅଟକ ରଖି ତନାଘନା କରୁଛି।