ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଛାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଅବସ୍ଥାରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରହୁଥିବା ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ତ୍ରିନାଥ ଖେମୁଣ୍ଡୁଙ୍କ ପୁତ୍ର ତପନ ଖେମୁଣ୍ଡୁ (୧୪) (ନନ୍ଦପୁର ବ୍ଲକ ଗନିନାୟକପୁଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର) ଏବଂ ଥୁବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାତ୍ରପଣ୍ଡି ଗ୍ରାମର ରଞ୍ଜିତ ଦାସରି (୧୪) (ଥୁବା ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟର ଛାତ୍ର) ଏକ ମଟର ସାଇକେଲ ( ଓଆର ୧୦ ଏଚ ୪୦୩୧) ଯୋଗେ ରାଇସିଂ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ନେତାଜୀ ଉଚ୍ଚ ବିଦ୍ୟାଳୟ ଏବଂ ରାଇସିଂ ଗ୍ରାମ ମଧ୍ୟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ତପନ ଖେମୁଣ୍ଡୁ ମୃତ୍ୟୁବରଣ କରିଥିବା ବେଳେ ପଛରେ ବସିଥିବା ପାତ୍ରପଣ୍ଡି ଗ୍ରାମର ରଞ୍ଜିତ ଦାସରିଙ୍କୁ ଗୁରୁତର ଅବସ୍ଥାରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ରଞ୍ଜିତ ଦାସରିଙ୍କର ଦେହର ବିଭିନ୍ନ ସ୍ଥାନରେ ମାଡ଼ ହୋଇଥିବା ଏବଂ ବାମ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି। ତାଙ୍କୁ ସଂଗେ ସଂଗେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ନନ୍ଦପୁର ଥାନାର ଏ ଏସ ଆଇ ଦୀପକ କୁମାର ନାୟକ ଦୁର୍ଘଟଣାସ୍ଥଳରେ ପହଞ୍ଚି ତପନ ଖେମୁଣ୍ଡୁଙ୍କର ମୃତ ଦେହ ଏବଂ ମଟର ସାଇକେଲକୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏ ଏସ ଆଇ ଦୀପକ କୁମାର ନାୟକ ସୂଚନା ଦେଇଛନ୍ତି। ତପନ ଖେମୁଣ୍ଡୁଙ୍କ ମୃତ୍ୟୁ ପରେ ନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/nandpur.jpg)