ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଡ଼ଧାରପୁର ନିକଟରେ ତିନୋଟି ଟ୍ରକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାର ଦିନକ ପରେ ଗୋହିରାପଦର ନିକଟ ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା ଘଟିଛି। ଏଥିରେ ହେଲପରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏପି ୩୯ ୯୬୬୬ ନମ୍ୱରର ଏକ ଟ୍ରକ୍ ଆଜି ଭୋରରୁ ମ.ରାମପୁର ପଟୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ନର୍ଲା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଭବାନୀପାଟଣା- ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି ବଡ଼ଧାରପୁର ଛକ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଭୋର୍ ୫ଟା ସମୟରେ ୩ ଗୋଟି ମାଲ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨ଜଣ ଚାଳକ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଯେ ଛତିଶଗଡ଼ ରାୟପୁର ହୀରାପୁରର ସୁଜିତ ଅଗ୍ରୱାଲଙ୍କ ମାଲ ବୋଝେଇ ଟ୍ରକ୍ (ସିଜି ୦୪ ଏମ୍ଜି ୪୬୭୭) ନେଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗ୍ରାମର ଚାଳକ ହରେକୃଷ୍ଣ ବିଶି ରାୟପୁରରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ବିଶାଖାପାଟଣାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ପୁଣି ପ୍ରଥମ ଟ୍ରକ୍ ପଛପଟେ ଆଉ ଏକ ଟ୍ରକ୍ ପିଟି ହୋଇଥିଲା। ଏଥିରେ ହରେକୃଷ୍ଣ ବିଶିଙ୍କ ମୃତ୍ୟୁ ଘଟିଥିଲା। ଆହତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିଲା। ଘଟଣାସ୍ଥଳରେ ନର୍ଲା ପୁଲିସ ପହଞ୍ଚି ତଦନ୍ତ କରିଥିଲା