ବଡ଼ବିଲ: ଆଜି ପୂର୍ବାହ୍ନ ୯ଟା ସମୟରେ ବଡ଼ବିଲ ଥାନା, ଭଦ୍ରାସାହି, ଟଣ୍ଟ ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଘଣ୍ଟା ପରେ ହାଇୱା ଭିତରେ ଚାପିହୋଇ ରହିଥିବା ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ ଆଜି ୯ ଘଟିକା ସମୟରେ ରୁଗୁଡି ପଟୁ ଓଡି୦୯ପି ୩୧୪୮ ନମ୍ବର ଥିବା ଏକ ହାଇୱା ଟ୍ରକ୍ ଖଣିଜ ଵୋଝେଇକରି ଭଦ୍ରାସାହି ଆଡ଼କୁ ଦ୍ରୁତଗତିରେ ଆସୁଥିଲା। ଏହି ସମୟରେ ଟଣ୍ଟ ନିକଟରେ ଉକ୍ତ ଦ୍ରୁତଗାମୀ ହାଇୱାର ସମ୍ମୁଖରେ ଥିବା ଡାହାଣ ପାଖର ଚକଟି ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ହାଇୱାଟି, ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଏକ ଲାଇନରେ ପାର୍କିଂ କରିଥିବା ୩ ଟି ଟ୍ରଲର ମଧ୍ୟରୁ ମଝିରେ ପାର୍କିଂ କରିଥିବା ଟ୍ରଲରକୁ ଜୋରରେ ଧକ୍କା ଦେଇଥିଲା। ହାଇୱା ଧକ୍କାରେ ଟ୍ରଲରଟି ଗତିଶୀଳ ଅବସ୍ଥାକୁ ଆସିବା ସହ ସମ୍ମୁଖରେ ଥିବା ଅନ୍ୟ ଟ୍ରଲରକୁ ଧକ୍କା ଦେଇଥିଲା ଓ ଟ୍ରଲରଟି ଓଲଟି ପଡ଼ିଥିଲା। ପ୍ରଥମେ ଧକ୍କା ଦେଇଥିବା ଟ୍ରଲରର ଚାଳକ ଶୋଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

publive-image

ହାଇୱା ଗାଡ଼ିଟି ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେବାପରେ ହାଇୱାର ଦିଗ ପରିବର୍ତ୍ତନ ହୋଇଯାଇଥିଲା ଓ ହାଇୱାଟି ତୃତୀୟ ଟ୍ରାଲରକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଶେଷ ସମୟ ପର୍ଯ୍ୟନ୍ତ ହାଇୱାର ବେଗ ଏତେ ଅଧିକ ଥିଲା ଯେ ହାଇୱାଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚାପିହୋଇଯାଇଥିଲା ଓ ତା ଭିତରେ ଚାଳକ ଚାପିହୋଇ ଗୁରୁତର ହୋଇ ଫସି ରହିଥିଲେ। ପ୍ରାୟ ଦୁଇ ଘଣ୍ଟାପରେ ଅର୍ଥାତ ୧୧ ଘଟିକା ସମୟରେ ବଡ଼ବିଲ ଅଗ୍ନିଶମ ବିଭାଗ କଟର ସାହାଯ୍ୟରେ ହାଇୱାର ଯନ୍ତ୍ରାଂଶକୁ କାଟିବାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ବିଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ତେବେ ଖବର ଲେଖାହେବା ଯାଏ ମୃତକ କିମ୍ବା ଆହତଙ୍କ କୌଣସି ପରିଚୟ ମିଳିପାରିନଥିଲା। ବଡ଼ବିଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ବେଳେ ସିରିଜ ଦୁର୍ଘଟଣାରେ ସାମିଲ ଥିବା ସମସ୍ତ ୩ଟି ଟ୍ରଲର ସହ ହାଇୱା ଗାଡ଼ିକୁ ଜବତ କରିଥିଲା।