ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା: ୪ ପରିବା ବିକାଳିଙ୍କ ପ୍ରାଣହାନି, ୩ ଗୁରୁତର

ପଣ୍ଡାପଡ଼ା: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା-ନରଣପୁର ରାସ୍ତାର ବସନ୍ତପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଣହାନି ଘଟିଛି। ଏହି ଦୁର୍ଘଟଣା ବଲାଣିପଶି ଛକରେ ଘଟିଥିବା ଜଣାଯାଇଛି।

ମୃତକମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ନବୀନ ନାଏକ, ଜୀବନ ନାଏକ, ରାଧୁ ନାଏକ ଓ ପ୍ରହଲ୍ଲାଦ ନାଏକ। ଏମାନେ ସମସ୍ତେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼କମଣ୍ଡର ଗାଁର ବୋଲି ଜଣାଯାଇଛି। ଆଜି ସକାଳେ ୮ଜଣ ପରିବା ବିକାଳି ଏକ ଅଟୋ ଯୋଗେ କେନ୍ଦୁଝର ବଜାରରୁ ପରିବା ବିକ୍ରି କରି ନିଜ ଘର ବଡ଼କମଣ୍ଡରକୁ ଫେରୁଥିଲେ। ବସନ୍ତପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍(ଓଡି-୧୧ଏ ୧୪୫୬) ସହ ଅଟୋ(ଓଡି-୦୯ ଏନ୍ ୧୮୮୩)ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଣହାନି ଘଟିଥିଲା। ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପଣ୍ଡାପଡ଼ା ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର