ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ଜଣଙ୍କ ମୃତ୍ୟୁ, ୫ ଗୁରୁତର

ଏସ ରାମପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଡୁଙ୍ଗୁରିପାଲି ବ୍ଲକ ଏସ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଭ୍ୟାନରେ ବରଯାତ୍ରୀମାନେ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହାଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ବୋଲି କୁହାଯାଉଛି।

ସୁଚନା ମୁତାବକ ବରଯାତ୍ରୀ ଦଳ ଏକ କ୍ରୁଇଜର ଗାଡି (ଓଡି ୧୫ କ୍ୟୁ ୫୩୬୬)ରେ ଲଛିପୁର ନିକଟ ଖଲିଆପାଲିରୁ ବହାଘର ସାରି ବରଗଡ଼ ଜିଲ୍ଲା ଗଠିଆପାଲିକୁ ଫେରୁଥିବା ବେଳେ ରାତି ୧ଟା ସମୟରେ ବଡକର୍ଲେଠାରେ ଗଛକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୁଚନା ମିଳିଛି। ତେବେ ଘଟଣାସ୍ଥଳରେ ବରଗଡ ମାଲିପାଲିର ବିରଞ୍ଚି ମଲ୍ଲିକ(୬୦) ଓ ବରପାଲି ବ୍ଲକ ଗିନ୍ଦିଲ୍ଲା ଗ୍ରାମର ଜିତେନ୍ଦ୍ର ବାଗ(୨୫)ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟାନ୍ୟମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଥିବା ସୁଚନା ମିଳିଛି।

ତେବେ ସମସ୍ତଙ୍କୁ ଡୁଙ୍ଗୁରିପାଲି ସିଏଚସିକୁ ପ୍ରାଥମିକ ଚିକିତ୍ସା ସକାଶେ ନିଆଯାଇଥିବା ବେଳେ ୩ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାରକୁ ରେଫର କରାଯାଇଥିବା ସୁଚନା ମିଳିଛି। ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ସିଏଚସିକୁ ନେଇଥିବା ବେଳେ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର